ଭୁବନେଶ୍ୱର: ସାରା ଦେଶରେ ଚହଳ ପକାଇଛି HMPV ଭାଇରସ୍ । ସାଧାରଣତଃ ଛୋଟ ଶିଶୁ ମାନେ ଯେଉଁମାନଙ୍କ କୌଣସି ସଂକ୍ରମିତ ସ୍ଥାନକୁ ଭ୍ରମଣ ଇତିହାସ ନାହିଁ ସେହିପରି ଶିଶୁମାନେ ମଧ୍ୟ ଏହି ଭାଇରସର ଶିକାର ହେଉଥିବାର ଦେଖିବାକୁ ମିଳୁଛି । ପୁନଃ ଆସାମର ଦିବୃଗଡ଼ରୁ ଏକ 10 ମାସର ଶିଶୁ ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛି । ଏହା ଆସାମର ପ୍ରଥମ ସଂକ୍ରମଣ ଘଟଣା ଅଟେ । ଆସାମ ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ୱତନ୍ତ୍ର ଭାବେ ଶିଶୁର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯିବା ସହ ଚିକିତ୍ସା ଯୋଗାଇ ଦିଆଯାଉଛି।
ଭାରତରେ ବିଭିନ୍ନ ରାଜ୍ୟରୁ HMPV ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏବେ ସୁଦ୍ଧା କର୍ଣ୍ଣାଟକ, ଗୁଜୁରାଟ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ HMPV ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଜାଗ ଥିବା ବେଳେ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛି । ଆକ୍ରାନ୍ତ ମାନେ ମୁଖ୍ୟତଃ ଶିଶୁ ଓ ନାବାଳକ ବର୍ଗର । ଏହି ପରିପ୍ରେକ୍ଷୀରେ କେନ୍ଦ୍ରସ୍ବାସ୍ଥ୍ୟ ସଚିବ ଅପୂର୍ବ ଚନ୍ଦ୍ରା ଏକ ଉଚ୍ଚସ୍ତରୀୟ ବୈଠକ ସାମ୍ପ୍ରତିକ ପରିସ୍ଥିତିର ସମୀକ୍ଷା କରିଛନ୍ତି ।