ନୋଏଡ଼ା: ଦିଲ୍ଲୀ ନୋଏଡ଼ାର ସେକ୍ଟର-୩୯ ଥାନା ଅନ୍ତର୍ଗତ ସେକ୍ଟର-୯୩ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଛାତ୍ର ୭ ମହଲାରୁ ପଡ଼ିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ସେ ହେଲେ ଉତ୍ତର ପ୍ରଦେଶ ଗାଜିଆବାଦର ତାପସ । ସେ ଆମିଟି ବିଶ୍ୱବିଦ୍ୟାଳୟରେ ଆଇନ ପାଠ ପଢ଼ୁଥିଲେ ବୋଲି ଜଣାପଡ଼ିଛି । ତେବେ ତାଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଆମିଟି ୟୁନିଭର୍ସିଟିରେ ଏଲଏଲବି ପଢ଼ୁଥିବା ତାପସ ସେକ୍ଟର-୯୩ ଅଞ୍ଚଳରେ ସୁପ୍ରିମ ଟାୱାରରେ ରହୁଥିଲେ । ଗତକାଲି ସନ୍ଧ୍ୟାରେ ସେ ତାଙ୍କ ରୁମରେ ଥିବାବେଳେ ୭ ମହଲାରୁ ତଳକୁ ଖସି ତାଙ୍କର ଆକସ୍ମିକ ମୃତ୍ୟୁ ହୋଇଥିଲା । ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା ।
ମାତ୍ର ତାପସଙ୍କ ପରିବାର ଲୋକ ତାଙ୍କ ସାଙ୍ଗରେ ରହୁଥିବା ସାଥୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି । ଏହା ଦୁର୍ଘଟଣା କି ଆତ୍ମହତ୍ୟା ନୁହେଁ ବୋଲି ପରିବାର କହିଛି । ତେବେ ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବାବେଳେ ପାରିପାର୍ଶ୍ୱିକ ସ୍ଥିତିକୁ ନେଇ ତଦନ୍ତ ଆରମ୍ଭ କରିଛି ।