ବିଜାପୁର: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଶନିବାର ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଏନକାଉଣ୍ଟରରେ ଯବାନମାନେ ଏପର୍ଯ୍ୟନ୍ତ ୩ ଜଣ ନକ୍ସଲଙ୍କୁ ନିପାତ କରିସାରିଲେଣି। ଯବାନମାନେ ନକ୍ସଲଙ୍କ ଠାରୁ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛନ୍ତି। ସେପଟେ ଏନକାଉଣ୍ଟରରେ ଡିଭିସିଏମ ସ୍ତରର ନକ୍ସଲ ନିହତ ହୋଇଥିବା ଖବର ସାମ୍ନାକୁ ଆସିଛି। ଭୋପାଳପାଟଣାର ମଡ ଅଞ୍ଚଳର ବାଣ୍ଡେପଡ଼ା, କୋରାଞ୍ଜଡେ ଜଙ୍ଗଲରେ ଆଜି ସକାଳୁ ଲଗାତାର ଗୁଳିବିନିମୟ ଜାରି ରହିଛି। ଏବେ ବି ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।
ଗୁରୁବାର ବିଜାପୁର ସୀମାନ୍ତ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏକ ମିଳିତ ଟିମ୍ ନକ୍ସଲ ବିରୋଧୀ ଅଭିଯାନରେ ଥିବା ବେଳେ ଏହି ଏନକାଉଣ୍ଟର ହୋଇଥିଲା। ଏହି ଟିମରେ ଜିଲ୍ଲା ରିଜର୍ଭ ଗାର୍ଡ, ସ୍ପେଶାଲ ଟାସ୍କ ଫୋର୍ସ ଏବଂ କୋବ୍ରା ବାଟାଲିୟନ ଫର ରିଜୋଲୁଟ୍ ଆକ୍ସନର ଟିମ୍ ସାମିଲ ଥିଲେ। ମଙ୍ଗଳବାର ବିଜାପୁରରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ୮ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ। ଯାହା ପରେ ନକ୍ସଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରାଯାଇଥିଲା।
ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା କହିଛନ୍ତି, ନକ୍ସଲଙ୍କୁ ନିପାତ କରିବା ଜାରି ରଖିବୁ। ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ। ୨୦୨୬ ସୁଦ୍ଧା ନକ୍ସଲବାଦର ମୂଳୋତ୍ପାଟନ ହେବ। ଏହା ପୂର୍ବରୁ ସୋମବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ କହିଥିଲେ ଯେ ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ନକ୍ସଲବାଦ ଦୂର ହୋଇଯିବ।