ନୂଆଦିଲ୍ଲୀ: ତିରୁପତି ଲଡୁ ବିବାଦରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିଛନ୍ତି । ଏହି ସମୟରେ ସୁପ୍ରିମକୋର୍ଟ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଭର୍ତ୍ସନା କରିଛନ୍ତି । ଅଦାଲତ କହିଛନ୍ତି, ଜୁଲାଇ ମାସରେ ଆସିଥିବା ରିପୋର୍ଟ ଉପରେ ଦୁଇ ମାସ ପରେ କାହିଁକି ବୟାନ ଦିଆଗଲା ।
ସୁବ୍ରମଣ୍ୟମ ସ୍ୱାମୀଙ୍କ ପକ୍ଷରୁ କୋର୍ଟରେ ହଜାର ଆଇନଜୀବୀ ସୁପ୍ରିମକୋର୍ଟରେ କହିଛନ୍ତି ଯେ, ଏହି ଧରଣର ବୟାନରେ ଲୋକଙ୍କ ଉପରେ ବ୍ୟାପକ ପ୍ରଭାବ ପଡିଥାଏ । ଯେଉଁଠି ମୁଖ୍ୟମନ୍ତ୍ରୀ ଏମିତି ବୟାନ ଦେଉଛନ୍ତି, ସେଠି ରାଜ୍ୟ ସରକାରଙ୍କଠୁ କେମିତି ନିରପେକ୍ଷ ତଦନ୍ତର ଆଶା କରାଯାଇ ପାରିବ ।
ଆଇନଜୀବୀ କହିଛନ୍ତି ଘିଅ ଯୋଗାଣକାରୀ ସଂସ୍ଥା କିଏ ? କଣ ଏହି ଧରଣର ଅଚାନକ ତଦନ୍ତର କୌଣସି ବ୍ୟବସ୍ଥା ଅଛି କି? ତେଣୁ ମାମଲାର ତଦନ୍ତ କୋର୍ଟଙ୍କ ତତ୍ୱାବଧାନରେ ହେବା ଦରକାର । ରାଜ୍ୟ ସରକାରଙ୍କ ପକ୍ଷରୁ ହଜାର ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗି କହିଛନ୍ତି, ସୁବ୍ରମଣ୍ୟମ ସ୍ୱାମୀ ନିଜେ ଟିଟିଡି ଟ୍ରଷ୍ଟ ସହ ଜଡିତ । କଣ ତାଙ୍କ ଯାଚିକାକୁ ନିରପେକ୍ଷ କୁହାଯାଇ ପାରିବ କି ?
ମୁକୁଲ ରୋହତଗି କହିଛନ୍ତି, ସୁବ୍ରମଣ୍ୟମ ସ୍ୱାମୀଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ । ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବାକୁ ଚାହାନ୍ତି । ଏହା ଉପରେ ଜଷ୍ଟିସ ବିଶ୍ୱନାଥନ କହିଛନ୍ତି, କଣ ନମୂନା ସେହି ଘିଅର ନିଆଯାଇଛି, ଯାହାକୁ ଟିଟିଡି ଟ୍ରଷ୍ଟ ବ୍ୟବହାର କରୁଛି । ଏଥିସହ ଜଷ୍ଟିସ ବିଆର ଗବଇ କହିଛନ୍ତି, ଯେବେ ତଦନ୍ତ ଜାରି ରହିଛି ମୁଖ୍ୟମନ୍ତ୍ରୀ ମଝିରେ ଏମିତି ବୟାନ କାହିଁକି ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ଏକ ସାମ୍ବିଧାନିକ ପଦ ।
ଜଷ୍ଟିସ ବିଶ୍ୱନାଥନ କହିଛନ୍ତି ଜୁଲାଇ ମାସରେ ରିପୋର୍ଟ ଆସିବାର ଦୁଇ ମାସ ପରେ ଏମିତି ବୟାନ ଦିଆଯାଉଛି । ଯେବେ ଆପଣ ନିଶ୍ଚିତ ନ ଥିଲେ ନମୂନା କେଉଁ ଘିଅରୁ ନିଆଯାଇଛି, ତେବେ ବୟାନ କାହିଁକି ଦେଲେ ? ରାଜ୍ୟ ସରକାରଙ୍କ ପକ୍ଷରୁ ହାଜର ଓକିଲ ସିଦ୍ଧାର୍ଥ ଲୁଥରା କହିଛନ୍ତି, ୫୦ ବର୍ଷ ଧରି ଘିଅ କର୍ଣ୍ଣାଟକର କୋପୋରେଟିଭ ନନ୍ଦିନୀରୁ ନିଆଯାଉଥିଲା । କିନ୍ତୁ ଗତ ସରକାରରେ ଏହାର ପରିବର୍ତ୍ତନ କରାଗଲା ।
ଏହା ଉପରେ ଜଷ୍ଟିସ ଗବଇ ପଚାରିଛନ୍ତି ତଥ୍ୟ ସଂପୂର୍ଣ୍ଣ ଭାବେ ନ ଜାଣି ବୟାନ ଦେବା ଜରୁରୀ ଥିଲା କି ? ତେଣୁ ଭଗବାନଙ୍କୁ ରାଜନୀତିରୁ ଦୂରରେ ରଖାଯାଉ । ଆପଣ ସେପ୍ଟେମ୍ବର ୨୬ ତାରିଖରେ ଏସଆଇଟି ଗଠନ କଲେ, ମାତ୍ର ବୟାନ ଏହା ପୂର୍ବରୁ ଦେଉଛନ୍ତି । ଜଷ୍ଟିସ ବିଶ୍ୱନାଥନ କହିଛନ୍ତି, ଆପଣ କହି ପାରିଥାନ୍ତେ ଯେ, ଗତ ସରକାରରେ ଘିଅର ଟେଣ୍ଡର ଭଲ୍ ପ୍ରକ୍ରିୟାରେ ଆବଣ୍ଟିତ କରାଯାଇଛି । କିନ୍ତୁ ଆପଣମାନେ ସିଧାସଳଖ ପ୍ରସାଦ ଉପରେ ହିଁ ପ୍ରଶ୍ନ ଉଠାଇ ଦେଲେ ।