ଗୌହାଟୀ: ଦିନିକିଆ ବିଶ୍ଵକପ୍ ଇତିହାସରେ ପ୍ରଥମ ଥର ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍ ଦଳ ଫାଇନାଲରେ ପହଞ୍ଚିଛି। ୨୦୨୫ ମହିଳା ବିଶ୍ୱକପର ACA ଷ୍ଟାଡିୟମରେ ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ ୧୨୫ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୩୧୯ ରନ କରିଥିଲା। ଦ ପକ୍ଷରୟୁ ଅଧିନାୟକ ଲୌରା ୱୋଲଭାର୍ଡ (୧୬୯) ସର୍ବାଧିକ ରନ କରିଥିଲେ। ଜବାବରେ ଇଂଲଣ୍ଡ ୧୯୪ ରନରେ ଅଲାଅଉଟ୍ ହୋଇଥିଲା। ମାରିଜାନେ କାପ ଘାତକ ବୋଲିଂ କରି ୭ ଓଭରରେ ମାତ୍ର ୨୦ ରନ ଦେଇ ୫ ୱିକେଟ ନେଇଥିଲେ। ୱୋଲଭାର୍ଡଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।
ମହିଳା ବିଶ୍ୱକପ ସେମିଫାଇନାଲରେ ଇଂଲଣ୍ଡ ସମ୍ମୁଖରେ ବିଜୟ ପାଇଁ ୩୨୦ ରନର ଲକ୍ଷ୍ୟ ଥିଲା। ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ମାରିଜାନେ କାପ୍ ପ୍ରଥମ ଓଭରର ଦ୍ୱିତୀୟ ବଲରେ ଇଂଲଣ୍ଡର ୱିକେଟକିପର-ବ୍ୟାଟସମ୍ୟାନ୍ ଏମି ଜୋନ୍ସଙ୍କୁ ବୋଲ୍ଡ କରିଥିଲେ। ମାରିଜାନ୍ ପ୍ରଥମ ଓଭରର ପଞ୍ଚମ ବଲରେ ହିଥର ନାଇଟଙ୍କୁ ମଧ୍ୟ ଆଉଟ୍ କରିଥିଲେ। ପରବର୍ତ୍ତୀ ଓଭରର ପ୍ରଥମ ବଲରେ ଆୟାବାଙ୍ଗା ଖାକା ଇଂଲଣ୍ଡର ତୃତୀୟ ୱିକେଟ ପାଇଁ ଟାମି ବିଉମୋଣ୍ଟଙ୍କୁ ଆଉଟ୍ କରିଥିଲେ। ଇଂଲଣ୍ଡ ୧ ରନରେ ତିନୋଟି ୱିକେଟ ହରାଇଥିଲା। ଶୀର୍ଷ ତିନି ବ୍ୟାଟର ଖାତା ମଧ୍ୟ ଖୋଲିପାରି ନଥିଲେ।
ଏହା ପରେ ଅଧିନାୟିକା ନାଟାଲି ସ୍କିଭର ଏବଂ ଆଲିସ୍ କ୍ୟାପସିଙ୍କ ମଧ୍ୟରେ ଏକ ଶତକୀୟ ଭାଗୀଦାରି ଇଂଲଣ୍ଡର ଫାଇନାଲରେ ପହଞ୍ଚିବାର ଆଶାକୁ ଉଜ୍ଜୀବିତ ରଖିଥିଲା। ଉଭୟ ଚତୁର୍ଥ ୱିକେଟ ପାଇଁ ୧୦୭ ରନ୍ ଯୋଡିଥିଲେ। ଏହି ଭାଗୀଦାରିକୁ ସୁନେ ଲୁସ୍ ଭାଙ୍ଗି ଥିଲେ। କ୍ୟାପସି ୭୧ ବଲ୍ ରୁ ୫୦ ରନ୍ କରି ଆାଉଟ୍ ହୋଇଥିଲେ। ପରେ ଅଧିନାୟିକା ନାଟାଲି ୭୬ ବଲରୁ ୧ ଛକା ଏବଂ ୬ ଚୌକା ସହାୟତାରେ ୬୪ ରନ କରି ପ୍ୟାଭିଲିୟନ୍ ଫେରିଥିଲେ। ସେ ମାରିଜାନ କାପଙ୍କ ଶିକାର ହୋଇଥିଲେ।
୩୧ତମ ଓଭରରେ, ମାରିଜାନ୍ କାପ୍ ମ୍ୟାଚର ପଞ୍ଚମ ୱିକେଟ ନେଇଥିଲେ। ସେ ତାଙ୍କ ସାତ ଓଭର ସ୍ପେଲରେ ମାତ୍ର ୨୦ ରନ୍ ଦେଇ ପାଞ୍ଚ ୱିକେଟ ନେଇଥିଲେ। ଶେଷରେ ଲିନସେ ସ୍ମିଥ୍ କିଛି ଭଲ ସଟ୍ ଖେଳି ୨୭ ରନ କରି ଆଉଟ ହୋଇଥିଲେ। ଏହା ଇଂଲଣ୍ଡର ଇନିଂସର ୧୦ମ ୱିକେଟ୍ ଥିଲା ଏବଂ ଦଳ ୧୯୪ ରନରେ ଅଲଆଉଟ୍ ହୋଇଥିଲା। ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ୧୨୫ ରନର ବିଶାଳ ବ୍ୟବଧାନରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି।
ଦକ୍ଷିଣ ଆଫ୍ରିକା ଇନିଂସ
ଦକ୍ଷିଣ ଆଫ୍ରିକା ପାଇଁ ଅଧିନାୟିକା ଲୌରା ୱଲଭାର୍ଡ ଏବଂ ତାଜମିନ ବ୍ରିଟ୍ସ ପ୍ରଥମ ୱିକେଟ ପାଇଁ ଶତକୀୟ ଭାଗୀଦାରି (୧୧୬) ଯୋଡ଼ିଥିଲେ। ସୋଫି ଏକ୍ଲେଷ୍ଟୋନ୍ ୨୩ତମ ଓଭରରେ ବ୍ରିଟ୍ସ (୪୫)ଙ୍କୁ ଆଉଟ୍ କରି ଏହି ଭାଗୀଦାରି ଭାଙ୍ଗିଥିଲେ। ସେହି ଓଭରରେ, ସୋଫି ଆନ୍ ବୋଶଙ୍କୁ ମଧ୍ୟ ବୋଲ୍ଡ କରିଥିଲେ। ୧୧୯ ସ୍କୋରରେ ସୁନ୍ ଲୁସଙ୍କ ରୂପରେ ଦଳର ତୃତୀୟ ୱିକେଟ୍ ପତନ ହୋଇଥିଲା।
ଏହା ପରେ ଅଧିନାୟିକା ଲୌରା ମାରିଜାନେ କାପ୍ ସହିତ ଚତୁର୍ଥ ୱିକେଟ ପାଇଁ ୭୨ ରନର ଭାଗୀଦାରି କରିଥିଲେ। ଆଉଟ୍ ହେବା ପୂର୍ବରୁ ଲୌରା ୱଲଭାର୍ଡ ୧୬୯ ରନର ଐତିହାସିକ ଇନିଂସ ଖେଳିଥିଲେ। ଏହା ତାଙ୍କର ୧୦ମ ଏକଦିବସୀୟ ଶତକ ଏବଂ ବିଶ୍ୱକପରେ ତାଙ୍କର ପ୍ରଥମ ଇନିଂସ ଥିଲା। ଫଳରେ ଦକ୍ଷିଣ ଆଫ୍ରିକା ୭ ଓ୍ଵିକେଟ୍ ହରାଇ ୩୧୯ ରନର ବିଶାଳ ସ୍କୋର କରିଥିଲା।
Also read: ପ୍ରଥମ ମ୍ୟାଚରେ ବର୍ଷା ସାଜିଲା ବାଧକ, ଫର୍ମରେ ନଜର ଆସିଲେ ଗିଲ୍-ସୂର୍ଯ୍ୟ, ଏବେ ମେଲବର୍ଣ୍ଣରେ ଟକ୍କର