ପାଟନା: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ବିହାରର ସମସ୍ତିପୁର ଜିଲ୍ଲାରେ ରୋସଡ଼ା ଏବଂ ଦରଭଙ୍ଗା ଜିଲ୍ଲାର ଅଲିନଗରରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି। ନିଜ ଭାଷଣରେ ସେ ବିରୋଧୀଙ୍କୁ କଡ଼ା ଶବ୍ଦରେ ହମଲା କରିଛନ୍ତି। ଏନଡିଏର ମୁଖ୍ୟ ପ୍ରାର୍ଥୀକୁ ନେଇ ଉଠୁଥିବା ପ୍ରଶ୍ନ ଉପରେ ଶାହ କହିଛନ୍ତି, ସିଏମ କିମ୍ବା ପିଏମର ପଦ ଖାଲି ନାହିଁ। ବିହାରରେ ନୀତିଶ କୁମାର ଓ ଦିଲ୍ଲୀରେ ନରେନ୍ଦ୍ର ମୋଦୀ ରହିବେ।
ଅମିତ ଶାହ ଅଲିନଗରରେ ବିଜେପି ପ୍ରାର୍ଥୀ ମୈଥିଲୀ ଠାକୁରଙ୍କ ସମର୍ଥନରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ନୀତିଶ କୁମାରଙ୍କ ଉପରେ ମୋହର ମାରିଛନ୍ତି। ସେ କହିଛନ୍ତି ଲାଲୁ ନିଜର ପୁଅ ତେଜସ୍ଵୀଙ୍ଜକୁ ସିଏମ ଏବଂ ସୋନିଆ ଗାନ୍ଧୀ ନିଜ ପୁଅ ରାହୁଲଙ୍କୁ ପିଏମ କରିବାକୁ ଚାହାନ୍ତି। ହେଲେ ସିଏମ କିମ୍ବା ପିଏମ ପଦରେ କୌଣସି ଖାଲି ନାହିଁ। ବିହାରେ ନୀତିଶ ବସିଛନ୍ତି ଏବଂ ଦିଲ୍ଲୀରେ ମୋଦୀ। ଶାହ ଅଭିଯୋଗ ମଧ୍ୟ କରିଛନ୍ତି ଯେ, କଂଗ୍ରେସ ଜଗଜୀବନ ରାମଙ୍କୁ ପ୍ରଧାନମନ୍ତ୍ରୀ ହେବାକୁ ରୋକିଥିଲା।
ଶାହ କହିଛନ୍ତି, ଏହି ନିର୍ବାଚନ ବିହାରକୁ ଜଙ୍ଗଲରାଜ ହେବାକୁ ଦିଆ ନ ଯିବାର ନିର୍ବାଚନ। ମୁଖ୍ୟମନ୍ତ୍ରୀ ହେବା ନୁହେଁ ବରଂ ବିହାରକୁ ଜଙ୍ଗଲରାଜରୁ ବଞ୍ଚାଇବାର ଏହା ନିର୍ବାଚନ। ଏନଡିଏର ପାଞ୍ଚ ପାଣ୍ଡବଙ୍କ ବିଜୟ ସୁନିଶ୍ଚିତ। ନଭେମ୍ବର ୧୪ରେ ଲାଲୁ-ରାହୁଲଙ୍କ ମୂଳପୋଛ ହେବାକୁ ଯାଉଛି। ଗୃହ ମନ୍ତ୍ରୀ କହିଛନ୍ତି ଦରଭଙ୍ଗାରେ ଏମ୍ସ ନିର୍ମାଣ କରାଯାଇଛି। ତିନି କୋଟି ବିହାରବାସୀଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ମିଳୁଛି। ମିଥିଳାରେ ଆଇଟି ପାର୍କ ସ୍ଥାପନାର କାମ ଆରମ୍ଭ ହୋଇଛି। ସମସ୍ତିପୁରରେ ଶୀଘ୍ର ବଡ଼ ଅଦୌଗିକି କ୍ଷେତ୍ର ହେବାକୁ ଯାଉଛି। ଏନଡିଏର ଉଦ୍ଦେଶ୍ୟ ବିହାରକୁ ବିକାଶ ରାସ୍ତାରେ ଆଗକୁ ବଢାଇବା ବୋଲି ଶାହ କହିଛନ୍ତି।
Also read: ଆଶାରାମ ବାପୁଙ୍କୁ ଆଶ୍ୱସ୍ତି; ୬ ମାସ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କଲେ ହାଇକୋର୍ଟ, ହଟିବ ପୋଲିସ ସୁରକ୍ଷା