ନୂଆଦିଲ୍ଲୀ: ହିଟମ୍ୟାନ ରୋହିତ ଶର୍ମା ୩୮ ବର୍ଷ ବୟସରେ ସେହି ଉପଲବ୍ଧି ହାସଲ କରିଛନ୍ତି, ଯାହାକୁ ହାସଲ କରିବା ପାଇଁ ସେ ବ୍ୟାକୁଳ ହେଉଥିଲେ । ରୋହିତ ନିଜ କ୍ୟାରିୟରର ଅନ୍ତିମ ପର୍ଯ୍ୟାୟରେ ଦିନିକିଆ କ୍ରିକେଟରେ ଏକ ନମ୍ବର ବ୍ୟାଟର ହୋଇଛନ୍ତି । ବୁଧବାର ଆଇସିସି ଦ୍ୱାରା ଜାରି ସଦ୍ୟତମ ଦିନିକିଆ ମାନ୍ୟତାରେ ରୋହିତ ଶର୍ମା ନିଜ ସାଥୀ ଖେଳାଳି ଶୁଭମନ ଗିଲଙ୍କୁ ପଛରେ ପକାଇ ଶୀର୍ଷକୁ ଉଠିଛନ୍ତି ।
ଆଇସିସି ଦିନିକିଆ ମାନ୍ୟତାରେ ରୋହିତ ଶର୍ମାଙ୍କ ରେଟିଂ ପଏଣ୍ଟ ୭୮୧ ରହିଛି । ଦ୍ୱିତୀୟ ସ୍ଥାନରେ ଆଫଗାନିସ୍ତାନ ଇବ୍ରାହିମ ଜାରଦାନ ରହିଛନ୍ତି । ତାଙ୍କର ରେଟିଂ ପଏଣ୍ଟ ୭୬୪ ରହିଛି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଗିଲଙ୍କ ପ୍ରଦର୍ଶନ ଆଶାନୁରୂପ ନ ଥିଲା । ଏହି କାରଣରୁ ସେ ୭୪୫ ରେଟିଂ ସହ ଚତୁର୍ଥ ସ୍ଥାନକୁ ଖସି ଅ।।ସିଛନ୍ତି । ୭୩୯ ପଏଣ୍ଟ ସହ ବାବର ଆଜମ ଚତୁର୍ଥରେ ଅଛନ୍ତି । ବିରାଟ କୋହଲି ଟପ୍-୫ରୁ ବାଦ୍ ପଡି ଷଷ୍ଠ ସ୍ଥାନରେ ଅଛନ୍ତି । କୋହଲିଙ୍କ ରେଟିଂ ପଏଣ୍ଟ ହେଉଛି ୭୨୫ ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ରୋହିତ ଶର୍ମା ୭୮୧ ରେଟିଂ ପଏଣ୍ଟ ସହ ରୋହିତ ଏକ ନମ୍ବର ବ୍ୟାଟର ହୋଇଛନ୍ତି । କିନ୍ତୁ ଗୋଟିଏ ସମୟ ଥିଲା ରୋହିତଙ୍କ ରେଟିଂ ୮୮୨ ଥିଲା. କିନ୍ତୁ ସେହି ସମୟରେ ଆଇସିସି ଦିନିକିଆ ମାନ୍ୟତାରେ ବିରାଟ କୋହଲି ଶୀର୍ଷରେ ଥିଲେ । କୋହଲିଙ୍କ ରେଟିଂ ପାଖପାଖି ୯୦୦ ଥିଲା । ତେଣୁ କୁହାଯାଇ ପାରିବ ଯେ, ରୋହିତ ଦିନିକିଆରେ ଶୀର୍ଷ ସ୍ଥାନକୁ ଉଠିବା ପାଇଁ ବ୍ୟାକୁଳ ଥିଲେ ।
କୁହାଯାଏ ରୋହିତ ଶର୍ମାଙ୍କ କ୍ୟାରିୟର ସମାପ୍ତ ହୋଇ ସାରିଛି । ଟି-୨୦ ଓ ଟେଷ୍ଟରୁ ଅବସର ନେଇ ସାରିଥିବା ରୋହିତଙ୍କ ବୟସ ହୋଇ ଯାଇଛି । ତାଙ୍କୁ ଦିନିକିଆ କ୍ରିକେଟରୁ ଅବସର ନେଇଯିବା ଉଚିତ୍ । ହେଲେ ଅଷ୍ଟ୍ରେଲିଆ ଗସ୍ତରେ ରୋହିତ ଶର୍ମା ତିନୋଟି ଦିନିକିଆ ମ୍ୟାଚର ସିରିଜରେ ଗୋଟିଏ ଅର୍ଦ୍ଧଶତକ ଓ ଗୋଟିଏ ଶତକ ହାସଲ କରି ଦର୍ଶାଇ ଦେଇଛନ୍ତି ଯେ, ତାଙ୍କ ନିକଟରେ ଆହୁରି କ୍ରିକେଟ୍ ବାକି ରହିଛି । ସେ ସିରିଜରେ ପ୍ଲେୟାର ଅଫ ଦ ସିରିଜ୍ ବିବେଚିତ ହୋଇଥିଲେ ।