ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟର ଶ୍ରେୟସ ଆୟର ବର୍ତ୍ତମାନ ସିଡନୀରେ ହସ୍ପିଟାଲରେ ଅଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ଶେଷ ଦିନିକିଆରେ ଆଲେକ୍ସ କ୍ୟାରିଙ୍କ କ୍ୟାଚ୍ ନେବା ସମୟରେ ସେ ଆହତ ହୋଇଥିଲେ। ତାଙ୍କର ପିଞ୍ଜରା ହାଡରେ ଆଘାତ ଲାଗିଥିଲା ଥିଲା ଏବଂ ଆଭ୍ୟନ୍ତରୀଣ ରକ୍ତସ୍ରାବ ଯୋଗୁଁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଏବେ ଆଇସିୟୁରୁ ବାହାରକୁ ଅଣା ଯାଇଛି । ଆୟର ଆଗାମୀ କିଛି ଦିନ ହସ୍ପିଟାଲରେ ରହିବେ । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ଜଣା ଯାଇଛି । ଏହା ମଧ୍ୟରେ ମଇଦାନକୁ ପ୍ରତ୍ୟାବର୍ତ୍ତନ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଶ୍ରେୟସଙ୍କ ପିଞ୍ଜରା ହାଡରେ ଆଘାତ ପରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ବନ୍ଦ କରିବା ପାଇଁ ଇଣ୍ଟରଭେନସନାଲ ଟ୍ରାନ୍ସ-କ୍ୟାଥେଟର ଏମ୍ବୋଲାଇଜେସନ୍ କରାଯାଇଥିଲା, ଏହା ଶରୀରର ଯେକୌଣସି ସ୍ଥାନରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ବନ୍ଦ କରିବା ପାଇଁ ଏକ ପ୍ରକ୍ରିୟା ଅଟେ। ଏହି ଆଭ୍ୟନ୍ତରୀଣ ଆଘାତ ଆୟର ଦୁଇ ମାସ ପର୍ୟ୍ୟନ୍ତ କ୍ରିକେଟରୁ ବାହାରେ ରହି ପାରନ୍ତି, ଯାହା ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଧକ୍କା। ଏହି ସମୟ ମଧ୍ୟରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଘରୋଇ ଦିନିକିଆ ସିରିଜ୍ ଖେଳିବାର କାର୍ୟ୍ୟକ୍ରମ ରହିଛି । ଏହି ସିରିଜରୁ ଆୟର ବାଦ୍ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଦକ୍ଷିଣ ଆଫ୍ରିକା ସିରିଜ ପରେ ଟିମ ଇଣ୍ଡିଆ ଜାନୁଆରୀ ୧୧ ରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏକ ଦିନିକିଆ ସିରିଜ୍ ଖେଳିବ। ଏହି ସିରିଜରେ ତାଙ୍କର ଖେଳିବା ଅସମ୍ଭବ ଲାଗୁଛି । କାରଣ ତାଙ୍କ ପାଖରେ ଅଭ୍ୟାସ ପାଇଁ ଅଧିକ ସୁଯୋଗ ରହିବ ନାହିଁ। ଫଳସ୍ୱରୂପ, ଟିମ୍ ଇଣ୍ଡିଆକୁ ଦିନିକିଆରେ ନମ୍ବର ୪ ସ୍ଥାନ ପାଇଁ ଜଣେ ନୂତନ ବ୍ୟାଟରଖୋଜିବାକୁ ପଡିବ। ଆୟର ସାମ୍ପ୍ରତିକ ଏହି ଅର୍ଡରରେ ଭାରତ ପାଇଁ ଦମଦାର ପ୍ରଦର୍ଶନ କରିଛନ୍ତି, ତେଣୁ ଆଗାମୀ ସିରିଜରେ ଦଳ ନିଶ୍ଚିତ ଭାବରେ ତାଙ୍କୁ ମିସ୍ କରିବ।
ବିସିସିଆଇ ସଚିବ ଦେବଜିତ ସାଇକିଆ ସମ୍ପ୍ରତି ଟାଇମ୍ସ ଅଫ୍ ଇଣ୍ଡିଆ ସହିତ କଥାବାର୍ତ୍ତା ସମୟରେ ଆୟରଙ୍କ ଆଘାତ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଦେଇଛନ୍ତି । ସେ କହିଛନ୍ତି, ଶ୍ରେୟସ ଆୟର ବର୍ତ୍ତମାନ ବହୁତ ଭଲ ଅଛନ୍ତି। ତାଙ୍କର ଆରୋଗ୍ୟ ଏପରି ଗତିରେ ଚାଲିଛି ଯାହା ଡାକ୍ତରମାନେ ମଧ୍ୟ ଆଶା କରିନଥିଲେ। ସାଧାରଣତଃ, ଏହି ଆଘାତରୁ ସୁସ୍ଥ ହେବାକୁ ଛଅରୁ ଆଠ ସପ୍ତାହ ଲାଗିପାରେ, କିନ୍ତୁ ଶ୍ରେୟସ ତା 'ଠାରୁ ବହୁତ ଶୀଘ୍ର ସୁସ୍ଥ ହୋଇଯିବେ। ତାଙ୍କର ଆଘାତ ବହୁତ ଗମ୍ଭୀର ଥିଲା, କିନ୍ତୁ ବର୍ତ୍ତମାନ ଶ୍ରେୟସ ବିପଦମୁକ୍ତ।
Also read: ପ୍ରଥମ ଥର ଫାଇନାଲରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା, ସେମିରେ ଇଂଲଣ୍ଡକୁ ୧୨୫ ରନରେ ଦେଲା ମାତ୍