ମାଲ୍ୟାଙ୍କୁ ଲାଗିଲା ଜୋରଦାର ଝଟକା, ପ୍ରତ୍ୟର୍ପଣ ବିରୋଧରେ ଦାୟର ଯାଚିକା ଖାରଜ କଲା ଲଣ୍ଡନ କୋର୍ଟ
Khabar Odisha:international-odisha-uk-court-rejected-plea-of-vijay-mallya-against-his-extradition-order
ଲଣ୍ଡନ,ଏପ୍ରିଲ୦୮(ଖବର ଓଡ଼ିଶା):

ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଶୀଘ୍ର ଭାରତ ପ୍ରତ୍ୟର୍ପଣ ହେବା ଆଶା ବୃଦ୍ଧି ଘଟିଛି। ଲଣ୍ଡନ କୋର୍ଟ ପ୍ରତ୍ୟର୍ପଣ ବିରୋଧରେ ମାଲ୍ୟାଙ୍କ ଆବେଦନକୁ ଆଜି ଖାରଜ କରି ଦେଇଛନ୍ତି। ପ୍ରତ୍ୟର୍ପଣ ବିରୋଧରେ ଯାଚିକା ଦାୟର କରି ମାଲ୍ୟା ନିଜକୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ। ମାତ୍ର କୋର୍ଟରୁ ତାଙ୍କକୁ ଜୋରଦାର ଝଟକା ଲାଗିଛି। ଏହା ପୂର୍ବରୁ ବ୍ରିଟେନର ଗୃହ ସଚିବ ସାଜିଦ ଜାଭିଦ ମାଲ୍ୟାଙ୍କ ପ୍ରତ୍ୟର୍ପଣ ଆଦେଶ ଉପରେ ହସ୍ତାକ୍ଷର କରି ଦେଇଥିଲେ। 

ପୁଣି ଥରେ ଅପିଲ ପାଇଁ ମିଳିଲା ୫ ଦିନର ସମୟ

ୟୁକେ ଜୁଡିସିଆରିର ଜଣେ ମୁଖପାତ୍ର କହିଛନ୍ତି ଯେ, କୋର୍ଟ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ବିରୋଧରେ ଦାୟର ଯାଚିକାକୁ ଖାରଜ କରି ଦେଇଛନ୍ତି। ଜଷ୍ଟିସ ଓ୍ଵିଲିୟମ ଡେଭିସ ମୌଖିକ ବିଚାର ପାଇଁ ଆବେଦନ କରିବାକୁ ମାଲ୍ୟାଙ୍କୁ ୫ ଦିନର ସମୟ ଦେଇଛନ୍ତି। ଯଦି ପୁଣି ଥରେ କୌଣସି ଆବେଦନ ଦାୟର ହୁଏ ତେବେ ଏହି ମାମଲା ହାଇକୋର୍ଟର ଜଜ ପାଖକୁ ଯିବ।

ବ୍ରିଟିଶ କାନୁନ ମୁତାବକ, ପୁର୍ନବିଚାର ପ୍ରକ୍ରିୟାରେ ସଂକ୍ଷିପ୍ତ ମୌଖିକ ଶୁଣାଣି ହେବ, ଯେଉଁଥିରେ ମାଲ୍ୟା ଓ ଭାରତ ସରକାରଙ୍କ ପକ୍ଷରୁ ଉପସ୍ଥିତ ଟିମ୍ ନିଜର ଦଲିଲ ରଖିବେ। ଏହା ପରେ ଜଜ ନିଷ୍ପତ୍ତି ନେବେ ଯେ ଏହି ମାମଲା ଉପରେ ପୂର୍ଣ୍ଣ ଶୁଣାଣିର ଆବଶ୍ୟକତା ଅଛି ନା ନାହିଁ। ଉଲ୍ଲେଖଯୋଗ୍ୟ,  ମାଲ୍ୟା ୨୦୧୬ରୁ ୟୁକେରେ ରହିଛି ଏବଂ  ୨୦୧୭ ଏପ୍ରିଲରେ ପ୍ରତ୍ୟର୍ପଣ ଗ୍ୟାରେଣ୍ଟି ଜାରି ହେବା ପରଠୁ ସେ ଜାମିନରେ ରହିଛି।  ଉଲ୍ଲେଖଯୋଗ୍ୟ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଓ ସିବିଆଇ ଦୁଇ ଭାରତୀୟ ଏଜେନ୍ସି ମାଲ୍ୟାଙ୍କ ବିରୋଧରେ ୯୦୦୦ କୋଟି ଟଙ୍କାରୁ ଅଧିକ ବ୍ୟାଙ୍କ ହେରଫର ମାମଲାରେ ଯାଞ୍ଚ କରୁଛି।

  • Tags:

Subscribe

National International State Sports Entertainment