ନୂଆଦିଲ୍ଲୀ: ପ୍ରଖ୍ୟାତ ତବଲା ବାଦକ ଉସ୍ତାଦ୍ ଜାକିର ହୁସେନ୍ଙ୍କର ସୋମବାର ସକାଳେ ଆମେରିକାର ସାନ୍ ଫ୍ରାନ୍ସିସ୍କୋସ୍ଥିତ ଏକ ଡାକ୍ତରଖାନାରେ ପରଲୋକ ଘଟିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସୋମବାର ତାଙ୍କ ପରିବାର ଲୋକ ଏହି ସୂଚନା ଦେଇଛନ୍ତି। ହୁସେନଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ଇଡିଓପାଥିକ୍ ପଲ୍ମୋନାରି ଫାଇବ୍ରୋସିସ୍ କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା ଏବଂ ଗତ ଦୁଇ ସପ୍ତାହ ହେବ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆଇସିୟୁକୁ ନିଆଯାଇଥିଲା। କିନ୍ତୁ ଡାକ୍ତରମାନେ ଶତଚେଷ୍ଟା କରି ମଧ୍ୟ ତାଙ୍କୁ ବଞ୍ଚାଇ ପାରିନଥିଲେ।
ହୁସେନଙ୍କ ଭଉଣୀ ଖୁର୍ସିଦ ମଧ୍ୟ ତାଙ୍କ ମୃତ୍ୟୁ ନେଇ ନିଶ୍ଚିତ କରିଛନ୍ତି। ହୁସେନ୍ଙ୍କ ପରିବାର କହିଛନ୍ତି, ଜଣେ ଶିକ୍ଷକ, ପରାମର୍ଶଦାତା ଭାବରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଅଗଣିତ ସଙ୍ଗୀତଜ୍ଞଙ୍କ ଉପରେ ଏକ ଅବିସ୍ମରଣୀୟ ଛାପ ଛାଡ଼ିଛି। ସେମାନଙ୍କର ଆଶା ଥିଲା ଯେ, ପରବର୍ତ୍ତୀ ପିଢ଼ିକୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେବେ। ସେ ଜଣେ ସାଂସ୍କୃତିକ ରାଷ୍ଟ୍ରଦୂତ ଏବଂ ସର୍ବକାଳୀନ ଶ୍ରେଷ୍ଠ ସଙ୍ଗୀତଜ୍ଞ ଭାବରେ ଏକ ଅତୁଳନୀୟ ପରମ୍ପରା ଛାଡି ଯାଇଛନ୍ତି। ତାଙ୍କ ପତ୍ନୀ ଆଣ୍ଟୋନିଆ ମିନକୋଲା ଏବଂ ଝିଅ ଅନିସା କୁରେଶୀ ଏବଂ ଇସାବେଲା କୁରେଶୀ ଅଛନ୍ତି।
ଜାକିର ହୁସେନ୍ ଭାରତର ଅନ୍ୟତମ ଲୋକପ୍ରିୟ ଏବଂ ସମ୍ମାନଜନକ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଥିଲେ। ତାଙ୍କୁ ୧୯୮୮ରେ ପଦ୍ମଶ୍ରୀ, ୨୦୦୨ରେ ପଦ୍ମଭୂଷଣ ଓ ୨୦୨୩ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଜାକିର ହୁସେନ୍ ଥିଲେ ତବଲା କିମ୍ବଦନ୍ତୀ ଆଲ୍ଲା ରାଖାଙ୍କ ପୁତ୍ର। ଛଅ ଦଶନ୍ଧିର ଚମତ୍କାର କ୍ୟାରିୟରରେ ସେ ପାଞ୍ଚ ଥର ଗ୍ରାମୀ ପୁରସ୍କାର ସମେତ ଅନେକ ଅନ୍ତର୍ଜାତୀୟ ସମ୍ମାନ ଜିତିଥିଲେ। ଗତବର୍ଷ ସେ ତିନୋଟି ପୁରସ୍କାର ଜିତିଥିଲେ।
ଜାକିର ହୁସେନ ୧୯୫୧ ମସିହା ମାର୍ଚ୍ଚ ୯ ତାରିଖରେ ମୁମ୍ବାଇର ମାହିମରେ ଜନ୍ମଗ୍ରହଣ କରିଥିଲେ। ସେ ତିନି ବର୍ଷ ବୟସରେ ତାଙ୍କ ପିତାଙ୍କଠାରୁ ମୃଦଙ୍ଗ ବଜାଇବା ଶିଖିଥିଲେ । ୧୨ ବର୍ଷ ବୟସରୁ ସେ ମ୍ୟୁଜିକ୍ ସୋ'ରେ ଅଭିନୟ କରିବା ଆରମ୍ଭ କରିଥିଲେ। ଜାକିର ହୁସେନ୍ ମୁମ୍ବାଇର ମାହିମରେ ଥିବା ସେଣ୍ଟ ମାଇକେଲସ୍କୁଲରୁ ପାଠ ପଢ଼ିବା ପରେ ମୁମ୍ବାଇର ସେଣ୍ଟ ଜାଭିୟର୍ସ କଲେଜରୁ ସ୍ନାତକ ହାସଲ କରିଥିଲେ।
ଜାକିର ହୁସେନଙ୍କୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ହ୍ଵାଇଟ୍ ହାଉସରେ ଆୟୋଜିତ ଅଲ୍ ଷ୍ଟାର୍ ଗ୍ଲୋବାଲ୍ କନସର୍ଟରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ। ଜାକିର ହୁସେନ ମଧ୍ୟ ପାଖାପାଖି ୧୨ଟି ଫିଲ୍ମରେ ଅଭିନୟ କରିଥିଲେ। ଜାକିର ହୁସେନଙ୍କୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ହ୍ଵାଇଟ୍ ହାଉସରେ ଆୟୋଜିତ ଅଲ୍ ଷ୍ଟାର୍ ଗ୍ଲୋବାଲ୍ କନସର୍ଟରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ। ଜାକିର ହୁସେନ ମଧ୍ୟ ପାଖାପାଖି ୧୨ଟି ଫିଲ୍ମରେ ଅଭିନୟ କରିଥିଲେ।
ଅଧିକ ପଢ଼ନ୍ତୁ: ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର