କଲମ୍ବୋ, ଜୁଲାଇ ୨୨ (ଖବର ଓଡ଼ିଶା): ଆର୍ଥିକ ସଂକଟ ସହିତ ଦିନ କାଟୁଥିବା ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ଜାରି ରହିଛି । ଦେଶର ନୂଆ ରାଷ୍ଟ୍ରପତି ହେଲା ପରେ ରାନିଲ ବିକ୍ରମସିଂଘେ ସରକାରୀ କାର୍ଯ୍ୟାନୁଷ୍ଠାନରେ ବସିଥିବା ପ୍ରଦର୍ଶନକାରୀଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଦେଶ ଦେଇଛନ୍ତି । ରାଷ୍ଟ୍ରପତିଙ୍କ ଆଦେଶ ପରେ ଶ୍ରୀଲଙ୍କାର ସେନା ଓ ପୋଲିସ ମିଳିତ ଭାବେ ପ୍ରଦର୍ଶନକାରୀଙ୍କୁ ଗୋଡାଇବା ଆରମ୍ଭ କରିଦେଇଛନ୍ତି । ଗୁରୁବାର ରାତିରେ ସୁରକ୍ଷାବାହିନୀ ରାଷ୍ଟ୍ରପତି ଭବନ, ସଂସଦ ଭବନ, ପ୍ରଧାନମନ୍ତ୍ରୀ ନିବାସ ବାହାରରୁ ପ୍ରଦର୍ଶନକାରୀଙ୍କ ତମ୍ବୁ ଭାଙ୍ଗି ଦେଇଛନ୍ତି ଓ ଲୋକଙ୍କୁ ଗୋଡାଇ ସେଠାରେ ବେରିକେଡ କରିଦେଇଛନ୍ତି ।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ରାନିଲ ବିକ୍ରମସିଂଘେଙ୍କ ବିରୋଧରେ ପ୍ରଦର୍ଶନକରୁଥିବା ହଜାର ହଜାର ଆନ୍ଦୋଳନକାରୀମାନେ ବିଗତ କିଛି ଦିନ ହେଲା ରାଷ୍ଟ୍ରପତି ଭବନ ପାଖରେ ଏକତ୍ର ହୋଇଥିଲେ । ସେମାନେ ସେଠାରେ ନିଜର ଟେଣ୍ଟ ତଳେ ବସିଥିଲେ । ଟେଣ୍ଟ ତଳେ ବସି ଆନ୍ଦୋଳନକାରୀମାନେ ଦିନ-ରାତି ଅନ୍ଦୋଳନ କରୁଥିଲେ । ଏପେ ସରକାରୀ ଆଦେଶ ପରେ ସେନା ଓ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ଏହି ସମୟରେ ସୁରକ୍ଷାକର୍ମୀ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି ।