ନ୍ୟୁୟର୍କସ୍ଥିତ ହାର୍ଲେନ ସହରରେ ଥିବା ଏକ ଆପାର୍ଟମେଣ୍ଟରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୮ ଜଣଙ୍କ ଜୀବନହାନୀ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ୮ ଜଣ ମୃତକଙ୍କ ମଧ୍ୟରୁ ଜଣେ ଭାରତୀୟ ଥିବା ଜଣା ପଡିଛି। ଲିଥିୟମ-ଆୟନ ବ୍ୟାଟେରୀ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।
ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ଆପାର୍ଟମେଣ୍ଟରେ ହୋଇଥିବା ଏହି ଅଗ୍ନିକାଣ୍ଡରେ ନିଆଁ ଏତେ ପ୍ରଖର ଥିଲା ଯେ, ଲୋକେ ବାହାରକୁ ଧାଇଁବାକୁ ଲାଗିଥିଲେ ଓ କେହି କେହି ଜୀବନ ବଞ୍ଚାଇବାକୁ ବାଲକୋନି ଏବଂ ଝରକା ପଟୁ ତଳକୁ ଡେଇଁ ପଡ଼ିଥିଲେ। କୌଣସି ମତେ ବାହାରକୁ ଆସିବା ପରେ ଘରେ ଫସି ରହିଥିବା ପରିବାର ସଦସ୍ୟଙ୍କ ବିଷୟରେ ଅଗ୍ନିଶମ ବିଭାଗକୁ ଅବଗତ କରାଇଥିଲେ ଲୋକେ । ତେବେ ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ଜଣେ ମୃତକ ଭାରତୀୟ ହୋଇଥିବା ବେଳେ ସେ ସେଠାରେ ସାମ୍ବାଦିକ ଭାବେ କାର୍ଯ୍ୟରତ ଥିଲେ।
ଉକ୍ତ ଭାରତୀୟ ସାମ୍ବାଦିକଙ୍କ ନାମ ଫାଜିଲ ଖାନ ବୋଲି ଜଣାପଡିଥିବାବେଳେ ବୟସ ୨୭ ବର୍ଷ ବୋଲି ଭାରତୀୟ ଦୂତାବାସ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ ସୂଚନା ଦିଆଯାଇଛି। ଫାଜିଲଙ୍କ ସାଙ୍ଗ ଏବଂ ତାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗରେ ଥିବା ନେଇ ଦୂତାବାସ ପକ୍ଷରୁ ସୂଚନା ମିଳିଛି।
ଅଧିକ ପଢନ୍ତୁ: ୨୮ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି