ପୁଣିଥରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେବେ ରାଷ୍ଟ୍ରପତି ଭାର ଗ୍ରହଣ କରିବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ହେଉଛି ତୃତୀୟ ଥର ପାଇଁ ନିଜ ଜିଲ୍ଲା ମୟୂରଭଞ୍ଜକୁ ଗସ୍ତ । କାର୍ଯ୍ୟସୂଚୀ ଅନୁସାରେ, ରାଷ୍ଟ୍ରପତି ୨୮ ତାରିଖ ଦିନ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀରୁ ଝାଡ଼ଖଣ୍ଡର ରାଞ୍ଚି ବିମାନ ବନ୍ଦର ପହଞ୍ଚିବେ ।
ଫେବୃଆରୀ ୨୮ ତାରିଖ ୩.୫୦ ମିନିଟ୍ ରେ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପୂର୍ବାହ୍ନ ୪.୪୫ ମିନିଟରେ ରାଇରଙ୍ଗପୁର ଦାଣ୍ଡବୋଷରେ ଅବତରଣ କରିବେ। ପହଁଚିବା ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସ୍ବତନ୍ତ୍ର କାରକେଡରେ ରାଇରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ଵରେ ହେବାକୁ ଥିବା ହଲି ଡେ ହୋମର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେବେ ଓ ଭର୍ଚୁଆଲ ମୋଡ଼ରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ।
ପରେ ସେଠାରୁ ରାଇରଙ୍ଗପୁର ମହୁଲଡିହା ସ୍ଥିତ ନିଜ ବାସଭବନକୁ ୬.୧୦ ସମୟରେ ପହଞ୍ଚି ସେଠାରେ ସମ୍ପର୍କୀୟ ଓ ବିଜେପିର ବରିଷ୍ଠ ନେତାମାନଙ୍କ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।
ଓଡିଶା ଗସ୍ତରେ ଆସି ଖିଚିଂ ଠାରେ ଥିବା ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' କିଚକେଶ୍ୱରୀ ଠାକୁରାଣୀଙ୍କୁ ଦର୍ଶନ କରିବେ ମହାମହିମ ରାଷ୍ଟ୍ରପତି। ପ୍ରଥମ ଥର ପାଇଁ ଭାରତର ରାଷ୍ଟ୍ରପତି ଖିଚିଂ ସ୍ଥିତ ମା' କୀଚକେଶ୍ବରୀ ମନ୍ଦିର ପରିଦର୍ଶନରେ ଆସୁଛନ୍ତି। ଏହି ମନ୍ଦିରକୁ ଆସିବା ପାଇଁ ମନ୍ଦିର କମିଟି ପକ୍ଷରୁ ୨୦୨୩ ମସିହା ଡିସେମ୍ବର ୨୮ ତାରିଖ ଦିନ ଇମେଲ ଯୋଗେ ତାଙ୍କୁ ଅନୁରୋଧ କରାଯାଇଥିଲା ବେଳେ ସେ ଅନୁରୋଧ ରକ୍ଷା କରି ଆସୁଛନ୍ତି। ଏନେଇ ଖିଚିଂ ମନ୍ଦିର କାର୍ଯ୍ୟାଳୟକୁ ରାଷ୍ଟ୍ରପତି ଭବନରୁ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୂଚନା ଦିଆଯାଇଛି। ତେବେ ଓଡିଶା ଗସ୍ତ ବେଳେ ସିଲଭର ସିଟି କଟକ ସ୍ଥିତ ନେତାଜୀ ଇନ୍ଦୋର ଷ୍ଟାଡିଅମରେ ପ୍ରଜାପିତା ବ୍ରହ୍ମକୁମାରୀ ସ୍କୁଲର ସୁବର୍ଣ୍ଣ ଜୟନ୍ତୀରେ ଯୋଗ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।
ଅଧିକ ପଢନ୍ତୁ: ଅବିକଶିତ ହୋଇ ରହିଛି ଶୈବପୀଠ ଗଦ ଗଦା