ଠାବ ହେଲା ୫ ଲକ୍ଷ ବର୍ଷ ତଳର ପୁରୁଣା କାଠ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି , ଆଫ୍ରିକୀୟ ଦେଶ ଜାମ୍ବିୟାର କାଲାମ୍ବୋ ନଦୀର ପାଦଦେଶରେ । ଏହି ନଦୀର ପାଦଦେଶରୁ ଦୁଇଟି କାଠ ମିଳିଛି , ଯାହା ପରସ୍ପର ସହ ଯୋଡ଼ି ହୋଇରହିଛି ।
ଏହି ସର୍ବପ୍ରାଚୀନ କାଠଟି ୪୭୬,୦୦୦ ବର୍ଷ ପୁରୁଣା ବୋଲି ପ୍ରତ୍ନତତ୍ତ୍ୱବିତ୍ମାନେ ଅନୁମାନ କରିଛନ୍ତି । ଅନ୍ୟ ଅର୍ଥରେ କହିବାକୁ ଗଲେ , ଏହି କାଠ କାରିଗରୀ ହୋମୋ ସାପେନ୍ ମାନବ ପ୍ରଜାତି ପୂର୍ବରୁ ଆରମ୍ଭ ହୋଇଥିଲା ବୋଲି ସ୍ପଷ୍ଟ ହୋଇଛି । ଉତ୍ତର ଜାମ୍ବିୟାର ଲେକ୍ ତଙ୍ଗନୟିକା ଓ କାଲୋମ୍ବୋ ନଦୀରୁ ପ୍ରତ୍ନତତ୍ତ୍ୱବିତ୍ମାନେ ଏହି କାଠକୁ ଆବିଷ୍କାର କରିଛନ୍ତି । ସୂଚନା ଅନୁସାରେ , ୧୯୫୦ ମସିହାରୁ ବୈଜ୍ଞାନିକମାନେ ଏହି ସ୍ଥାନରେ ଅନୁସନ୍ଧାନ ଜାରି ରଖିଥିଲେ । ବିଭିନ୍ନ ସମୟରୁ ଏହି ସ୍ଥାନରୁ ଅନେକ ବସ୍ତୁ ଆବିଷ୍କାର କରାଯାଇଛି । ପୂର୍ବରୁ ଖନନ ଜରିଆରେ ଏକ ପଥର ଯନ୍ତ୍ରପାତି ମିଳିଥିଲା । ପରେ ଏହି ସର୍ବପ୍ରାଚୀନ କାଠଟି ମିଳିଛି । ଏହି କାଠଟି ହାରାହାରି ପ୍ରାୟେ ୭.୮ ଲକ୍ଷରୁ ୧.୨୬ ଲକ୍ଷ ବର୍ଷ ପୁରୁଣା ବୋଲି ଅନୁମାନ କରାଯାଉଛି । କାଠରେ ନିର୍ମିତ କଳାକୃତିଗୁଡ଼ିକ ଲକ୍ଷାଧିକ ବର୍ଷ ତଳର ଇତିହାସ, ସଂସ୍କୃତି ଓ ମାନବ ବିକାଶର କାହାଣୀକୁ ବର୍ଣ୍ଣନା କରୁଛି । ଅର୍ଥାତ ଏହି କାଠଟି ପ୍ଲିଷ୍ଟୋସିନ୍ କାଳର । ଏହି ଅନୁସନ୍ଧାନର ତଥ୍ୟ ନେଚର୍ ପତ୍ରିକାରେ ପ୍ରକାଶ ପାଇଛି । ଇଂଲଣ୍ଡର ଲିଭରପୁଲ୍ ବିଶ୍ୱବିଦ୍ୟାଳୟରେ ପ୍ରତ୍ନତତ୍ତ୍ୱ ବିଭାଗର ପ୍ରଫେସର ଲାରି ବାରହମ୍ ଏହି ଅନୁସନ୍ଧାନର ନେତୃତ୍ୱ ନେଇଥିଲେ । ଏହି କାଠଟି ନଦୀର ପଙ୍କ ତଳୁ ଉଦ୍ଧାର କରାଯାଇଛି ବୋଲି ସେ କହିଛନ୍ତି । ବାରହମ୍ ଓ ତାଙ୍କ ସାଥୀମାନେ କାଠ ଦ୍ୱୟର ବୟସ ଜାଣିବା ପାଇଁ ଲୁମିନିସେନ୍ସ ଡେଟିଂର ସାହାଯ୍ୟ ନେଇଥିଲେ । ଏହି କାଠ କେବେ ସୂର୍ଯ୍ୟାଲୋକ ସଂସ୍ପର୍ଶରେ ଆସିଲା, ତାହା ମଧ୍ୟ ଜାଣିପାରିଛନ୍ତି ପ୍ରତ୍ନତତ୍ତ୍ୱବିତ୍ମାନେ କାରଣ ଲକ୍ଷାଧିକ ବର୍ଷ ଧରି ଏହା ପାଣି ଓ ମାଟି ତଳେ ଦବି ରହିଥିଲା । ଏହାକୁ ପ୍ରତ୍ୟକ୍ଷ ସୂର୍ଯ୍ୟାଲୋକ ମିଳୁନଥିଲା । ଏହି ସଂଲଗ୍ନ କାଠ ୭୫ ଡିଗ୍ରୀ କୋଣରେ ରହିଛି । ଓ କାଠ ଦ୍ୱୟ ମଧ୍ୟରୁ ବଡ଼ଟି ୫୫.୬ ଇଞ୍ଚ । ଏହି କାଠଟି ଚୀନ୍ରେ ମିଳିଥିବା ପ୍ରାଚୀନ କାଠ ଭଳି ଦିଶୁଥିଲେ ମଧ୍ୟ ଏହା ତା’ଠୁ ଅଧିକ ପୁରୁଣା । ଚୀନ୍ରେ ଆବିଷ୍କୃତ କାଠ ୪ ଲକ୍ଷ ବର୍ଷ ପୁରୁଣା ଥିଲା ।
ଆଫ୍ରିକୀୟ ଓ ୟୁରାସୀୟ ପାଲିଓଲିଥିକ୍ କାଠ ମଧ୍ୟରେ କୌଣସି ସମାନତା ନାହିଁ । ଆମ କଳା ଓ କୌଶଳ କେବେଠୁ ଆରମ୍ଭ ହୋଇଛି ଏହି ପ୍ରାଚୀନ କାଠ ତାହା ଦର୍ଶାଉଛି । ପ୍ରସ୍ତର ଯୁଗରେ ମଣିଷ ପରିବେଶ ସହ ଖାପଖୁଆଇ ଚଳିବାରେ ସମର୍ଥ ଥିଲା ଏବଂ ନିଜ ଆବଶ୍ୟକତା ମେଣ୍ଟାଇବା ପାଇଁ ଢାଞ୍ଚା ନିର୍ମାଣ କରୁଥିଲା । ବିଶେଷଜ୍ଞମାନେ କାଠରେ କାଠ ଯନ୍ତ୍ରପାତି ଦ୍ୱାରା କରାଯାଇଥିବା କଟା ଦାଗ ଚିହ୍ନଟ କରି ତା’ର ବିଶ୍ଳେଷଣ କରିଛନ୍ତି । ପ୍ରାରମ୍ଭିକ ମାନବ ପ୍ରଜାତି କୌଣସି ଢାଞ୍ଚା, ଖାସ୍କରି କୌଣସି ବାସସ୍ଥଳୀର ମୂଳ ଆଧାର ନିର୍ମାଣ ଲାଗି ଦୁଇଟି ବିଶାଳ କାଠ ଖଣ୍ଡକୁ ଯୋଡ଼ି ଏକ ଢାଞ୍ଚା ନିର୍ମାଣ କରିଥିଲେ ।
ଆଗକୁ ପଢନ୍ତୁ :- ବର୍ଷା ପରେ ଦାଉ ସାଧିଲା ଭୂସ୍ଖଳନ : ୧୭ ମୃତ