ଦେଶର ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ୍ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ସହିତ ରାଧିକା ମର୍ଚାଣ୍ଟଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି । ଏହି ଭବ୍ୟ ବିବାହ ଉତ୍ସବରେ ଦେଶ ବିଦେଶର ବହୁ ନାମିଦାମୀ ବ୍ୟକ୍ତି ଯୋଗ ଦେଇଥିଲେ । ଏହି ଆଡ଼ମ୍ବର ପୂର୍ଣ୍ଣ ବିବାହ ଉତ୍ସବରେ ଭକ୍ତିର ଆସର ମଧ୍ୟ ଦେଖିବାକୁ ମିଳିଥିଲା । ଏଥିରେ ଶଙ୍କରାଚାର୍ଯ୍ୟଙ୍କ ସମେତ ବହୁ ସ।ଧୁ ସନ୍ଥ ଯୋଗଦାନ କରିଥିଲେ । ଏହି ଅବସରରେ ବଲିଉଡ଼ ଗାୟକଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ଭକ୍ତି ସଙ୍ଗୀତ ସମସ୍ତ ଅତିଥିଙ୍କ ମନ କିଣି ଥିଲା ।
ଅନନ୍ତ-ରାଧିକାଙ୍କ ରାଜକୀୟ ବିବାହ ଉପଲକ୍ଷେ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟରକୁ ବାରଣାସୀ ସଂସ୍କୃତି ଥିମ୍ ରଖି ସଜା ଯାଇଥିଲା । ନବ ଦମ୍ପତିଙ୍କୁ ଆର୍ଶିବାଦ ଦେବାକୁ ବହୁ ସ।ଧୁ ସନ୍ଥଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଶୁଭ ଆଶିର୍ବାଦ କାର୍ଯ୍ୟକ୍ରମରେ ଦ୍ୱାରକା ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀ, ଜ୍ୟୋର୍ତି ମଠ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ଓ ତୁଳସୀ ପୀଠ ମୁଖ୍ୟ ଜଗତଗୁରୁ ରାମଭଦ୍ରାଚାର୍ୟ୍ୟ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଯୋଗ ଗୁରୁ ବାବା ରାମଦେବ, ବାଗେଶ୍ୱରଧାମ ମୁଖ୍ୟ ଧିରେନ୍ଦ୍ର କୁମାର ଶାସ୍ତ୍ରୀ ଓ ଭାଗବତ କଥାକାର ଦେବକୀ ନନ୍ଦନ ଠାକୁର ଯୋଗ ଦେଇଥିଲେ । ମୁକେଶ ଅମ୍ବାନୀ ଓ ପତ୍ନୀ ନୀତା ଅମ୍ବାନୀ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ବଲିଉଡ଼ ଗାୟକଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ‘ରାମ ରାମ ଜୟ ରାଜା ରାମ’ ସଙ୍ଗୀତ । ଯାହାକି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । କଣ୍ଠଶିଳ୍ପୀ ଶଙ୍କର ମହାଦେବନ, ଶ୍ରେୟା ଘୋଷାଲ, କୌଶିକ୍ ଚକ୍ରବର୍ତ୍ତୀ, ସୋନୁ ନିଗମ ଏବଂ ହରିହରନ୍ ପ୍ରମୁଖ ଏହି ଗୀତକୁ ପରିବେଷଣ କରାଯାଇଥିଲେ ।
ଏହି ଚର୍ଚ୍ଚିତ ଯୋଡ଼ିଙ୍କ ବିବାହରେ ରାଜନୀତି ଠାରୁ ଆରମ୍ଭ କରି ସିନେମା, କ୍ରୀଡା, ସଙ୍ଗୀତ ଓ ବ୍ୟବସାୟ ଜଗତର ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଭାରତ ସମେତ ବିଭିନ୍ନ ଦେଶର ପ୍ରାୟ ୨୫୦୦ରୁ ଅଧିକ ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା । ଏହି ବିବାହ କାର୍ଯ୍ୟକ୍ରମରେ ପ୍ରାୟ ୫୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଆକଳନ କରାଯାଉଛି ।