କଟକ: ଆଉ ନାହାଁନ୍ତି କାଳଜୟୀ ଗୀତିକାର ତଥା ଓଡ଼ିଆ ଚଳଚ୍ଚିତ୍ରର ଜଗତର ସୁନାମ ଧନ୍ୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବୃନ୍ଦାବନ ଜେନା । କଟକ ଏସସିବି ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ବୃନ୍ଦାବନ ଜେନାଙ୍କର ବୁଧବାର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ତାଙ୍କର ସ୍ନାୟୁ ଜନିତ ସମସ୍ୟା ଦେଖାଦେଇଥିଲା । ସେଥିପାଇଁ ଏସସିବିର ଆଇସିୟୁ ବିଭାଗରେ ଚିକିତ୍ସିତ ହେଉଥିଲେ । ତାଙ୍କ ବିୟୋଗରେ ଓଡ଼ିଆ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି ।
୧୯୪୪ ମସିହାରେ ଜନ୍ମ ଗ୍ରହଣ କରିଥିବା ବୃନ୍ଦାବନ ଜେନା ଅଜାଙ୍କଠାରୁ କବିତା ଲେଖିବାର ପ୍ରେରଣା ପାଇଥିଲେ । ପ୍ରକୃତିକୁ ଦେଖି କବିତା ଲେଖିବା ଶିଖିଥିଲେ । ଏହା ପରେ ତାଙ୍କୁ ଜଣେ ଗୀତିକାର ଜୀବନକୁ ଆଗକୁ ବଢ଼ାଇଥିଲା । ସେ ଏକା ଧାରାରେ ଜଣେ ଗୀତିକାର, ନିର୍ଦ୍ଦେଶକ ଓ ସାହିତ୍ୟିକ । ୧୯୬୫ ମସିହାରେ ଆକାଶବାଣୀ କଟକ କେନ୍ଦ୍ର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ହୋଇଥିଲେ । ଏହା ପରେ ସେ ଓଡ଼ିଆ ସିନେ ଜଗତରେ ପାଦ ଥାପିଥିଲେ । ୧୯୭୨ ମସିହାରେ ‘ଧରିତ୍ରୀ’ କଥା ଚିତ୍ରରେ ପ୍ରଥମେ ଗୀତ ଲେଖିଥିଲେ । ଏହି ଚଳଚ୍ଚିତ୍ରର ଗୀତ ‘ପୀରତି ତୋର ଦୂରୁ ଜୁହାର’ବେଶ ଲୋକପ୍ରିୟ ହୋଇଥିଲା । ଏହା ପରେ ଗୋଟିଏ ପରେ ଗୋଟିଏ ଗୀତ ଭେଟି ଦେଇଥିଲେ ଓଡ଼ିଆ ଦର୍ଶକଙ୍କୁ । ପ୍ରାୟ ୩୦ଟି ସିନେମାରେ ସେ ଗୀତ ଲେଖିଛନ୍ତି । ତାଙ୍କର ଲୋକପ୍ରିୟ ଗୀତ ମଧ୍ୟରେ ରହିଛି ‘ଏମତି ରାତି ସେ ଯେ ଅଭୁଲା ସ୍ମୃତି’...(ସଉତୁଣୀ), ଗୋରୀ ଦେଖିଲି କାଳି ଦେଖିଲି... (ସଉତୁଣୀ), ‘ଗେଲ ବସରର ଦିନ ସରିଗଲା...(ପତୀ ପତ୍ନୀ), ‘ଆତ୍ମୀୟ ସ୍ଵଜନ ବନ୍ଧୁ କେହି ନୁହେଁ ଚିର’...(କୁଳଚନ୍ଦ୍ରମା) ଇତ୍ୟାଦି । ଶାସ୍ତି (୧୯୮୯), ଅଶାନ୍ତ ଗ୍ରହ (୧୯୮୨), ବାଟ ଅବାଟ (୧୯୮୦), ଅଲିଭା ଦାଗ (୧୯୮୦), ସୁଉତୁଣୀ (୧୯୭୯), ପତୀପତ୍ନୀ (୧୯୭୮), ପରିବାର (୧୯୭୮), ଶଙ୍ଖ ମହୁରୀ, ବନ୍ଧୁ ମହାନ୍ତି (୧୯୭୭), ଏବଂ ଘର ସଂସାର (୧୯୭୨) ଭଳି ଅନେକ ଚଳଚ୍ଚିତ୍ରରେ ଗୀତ ରଚନା କରିଛନ୍ତି ।
ସେ ଲୋକପ୍ରିୟ ଉପନ୍ୟାସ ‘ଶାସ୍ତୀ’ ଚଳଚ୍ଚିତ୍ରର ଦେଇଛନ୍ତି ନିର୍ଦ୍ଦେଶନା । ସେହିପରି ସଉତୁଣୀ ଓ ବାଟ ଅବାଟର ନିର୍ଦ୍ଦେଶନା ଦେଇଛନ୍ତି । ‘ଶାସ୍ତୀ’ ଓ ‘ବାଟ ଅବାଟ’ ଚଳଚ୍ଚିତ୍ର ପାଇଁ ସେ ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । କେବଳ ଜାତୀୟ ନୁହେଁ ସେ ଓଡ଼ିଆ ସାହିତ୍ୟ ଏକାଡେମୀ ଏବଂ ଉତ୍କଳ ସଙ୍ଗୀତ ଏକାଡେମୀ ପୁରସ୍କାର ମଧ୍ୟ ଗ୍ରହଣ କରିଛନ୍ତି ।