ମୁମ୍ବାଇ: ବଲିଉଡର ଏକାଧିକ କଳାକାରଙ୍କୁ ଆସିଛି ଧମକ । ଜୀବନରୁ ହତ୍ୟା କରିବାକୁ ଇ-ମେଲ୍ ଜରିଆରେ ଆସିଛି ଧମକ । ହାସ୍ୟ ଅଭିନେତା ରାଜପାଲ ଯାଦବ, ହାସ୍ୟ ଅଭିନେତ୍ରୀ ସୁଗନ୍ଧା ମିଶ୍ର, ନୃତ୍ୟ ପ୍ରଶିକ୍ଷକ ରେମୋ ଡିସୌଜାଙ୍କ ପରେ ଏବେ ଟାର୍ଗେଟରେ କପିଲ ଶର୍ମାକୁ ଆସି ଏହି ଧମକ । କୁହାଯାଉଛି ଯେ ଇ-ମେଲ୍ ପାକିସ୍ତାନରୁ ଆସିଛି । ଏ ନେଇ କପିଲ ଶର୍ମା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସେ ମୁମ୍ବାଇର ଆମ୍ବୋଲି ପୋଲିସ ନିକଟରେ ଏଫ୍ଆଇଆର୍ ଦାଖଲ କରିଛନ୍ତି ।
ଗୁରୁବାର କପିଲ ଶର୍ମାଙ୍କୁ ବିଷ୍ଣୁ ନାମରେ ଏକ ହତ୍ୟା କରିବା ନେଇ ଧମକ ପୂର୍ଣ୍ଣ ଇ-ମେଲ ଆସିଥିଲା । ଧମକକୁ ହାଲୁକାଭାବେ ନ ନେବାକୁ କୁହାଯାଇଛି । ଯଦି ୮ ଘଣ୍ଟା ଭିତରେ ଦାବି ପୂରଣ ନ ହୁଏ ତେବେ ପରିଣତି ଭୟାନକ ହେବ । ଇ-ମେଲ୍ ପାଇବା ପରେ କପିଲ ଥାନାରେ ଅଭିଯୋଗ କରିଛନ୍ତି ।
ଇମେଲରେ ଲେଖା ଯାଇଛି, “ଆମେ ଆପଣଙ୍କର ବର୍ତ୍ତମାନ କରିଥିବା ସମସ୍ତ କାମ ଉପରେ ନଜର ରଖିଛୁ। ଏହି ବିଷୟକୁ ଆପଣଙ୍କ ଦୃଷ୍ଟିକୁ ଆଣିବା ଗୁରୁତ୍ୱପୂର୍ଣ୍ଣ । ଏହା କୌଣସି ପବ୍ଲିସିଟି ଷ୍ଟଣ୍ଟ କିମ୍ବା ହଇରାଣ କରିବା ପାଇଁ ନୁହେଁ । ଦୟାକରି ଏହି ମେସେଜକୁ ଗମ୍ଭୀରତାର ସହ ନିଅନ୍ତୁ, ଯଦି ଆପଣ ଆମର ଦାବି ପୂରଣ ନକରନ୍ତି ତେବେ ଗମ୍ଭୀର ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ । ଯଦି ଆମେ ଆଗାମୀ ୮ ଘଣ୍ଟା ମଧ୍ୟରେ କୌଣସି ଉତ୍ତର ନପାଇବୁ, ତେବେ ଆମେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।”
କପିଲ ଶର୍ମାଙ୍କ ସହିତ ବିଭିନ୍ନ କମେଡ଼ି ଶୋରେ ନଜର ଆସୁଥିବା ସୁଗନ୍ଧା ମିଶ୍ରଙ୍କୁ ମଧ୍ୟ ହତ୍ୟା ଧମକ ଆସିଛି । ଏହା ପୂର୍ବରୁ ରେମୋ ଡିସୌଜା ଏବଂ ରାଜପାଲ ଯାଦବଙ୍କୁ ମଧ୍ୟ ହତ୍ୟା ଧମକ ଆସିଛି । ରେମୋ ଓ ସୁଗନ୍ଧା ପୋଲିସକୁ ଜଣାଇଛନ୍ତି । ସେହିପରି ରାଜପାଲ ଯାଦବଙ୍କ ସ୍ତ୍ରୀ ରାଧା ଯାଦବ ଅମ୍ବୋଲି ପୋଲିସ ନିକଟରେ ଅଭିଯୋଗ କରିଥିଲେ ।
ଅମ୍ବୋଲି ପୋଲିସ ବିଏନ୍ଏସ୍ ଧାରା ୩୫୧(୩)ରେ ମାମଲା ରୁଜୁ କରିଛି । ବିଷ୍ଣୁ ନାମରେ ଦସ୍ତଖତ ଥିବା ମେଲ୍ ଆସିଛି । ମେଲ୍ ଆଇଡି (don99284@gmail.com) ପାକିସ୍ତାନରୁ ଆସିଛି ବୋଲି ପୋଲିସ କହିଛି ।