ମୁମ୍ବାଇ: ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି । ଅନ୍ୟପକ୍ଷରେ ଅସ୍ତ୍ରୋପଚାର ବେଳେ ସୈଫଙ୍କ ପିଠିରୁ ଛୁରୀ ବାହାର କରାଯାଇଥିବା ଜଣାପଡ଼ିଛି । ସେ ଏବେ ବିପଦ ମୁକ୍ତ ଅଛନ୍ତି । ଲୀଲାବତୀ ମେଡ଼ିକାଲର ଆଇସିୟୁରେ ତାଙ୍କୁ ରଖାଯାଇଛି ।
ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ସୈଫ୍ ଅଲ୍ଲୀ ଖାନଙ୍କ ବ୍ରାନ୍ଦ୍ରାସ୍ଥିତ ଘର ଭିତରକୁ ଏକ ଦୁର୍ବୃତ୍ତ ପଶି ଆସିଥିଲା । ପ୍ରଥମେ ତାଙ୍କ ଘରର ସହାୟିକାଙ୍କ ସହିତ ଠେଲାପେଲା ହୋଇଥିଲା । ଏହା ପରେ ସୈଫଙ୍କ ଦୁଇ ପୁଅ ଚିତ୍କାର କରିବାକୁ ଲାଗିଥିଲେ । ପିଲାଙ୍କ ଚିତ୍କାର ଶୁଣି ସୈଫ୍ ଧାଇଁ ଆସିଥିଲେ । ସୈଫଙ୍କୁ ଦୁର୍ବୃତ୍ତ ଜଣକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ପ୍ରାୟ 6ଥର ତାଙ୍କ ଉପରେ ଏହି ଆକ୍ରମଣ ହୋଇଛି । ତାଙ୍କ ଦେହରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଏହା ପରେ ତାଙ୍କର ପ୍ରଥମ ସ୍ତ୍ରୀର ପୁଅ ଆବ୍ରାହମ୍ ଏବଂ ଘର ଅନ୍ୟ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତାଙ୍କ ବେକ ଓ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଛି । ଚିକିତ୍ସା ପରେ ସେ ଏବେ ବିପଦ ମୁକ୍ତ ଥିବା ଜଣାପଡ଼ିଛି ।
ଅନ୍ୟପକ୍ଷରେ ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ୍ ମାମଲାର ତଦନ୍ତ ଆରମ୍ଭ କରିଛି । ଦୁର୍ବୃତ୍ତକୁ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି । ୨ ଘଣ୍ଟା ପୂର୍ବର ସମସ୍ତ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଇଛି । କିନ୍ତୁ ସେଥିରେ କେହି ଯାଉଥିବାରୁ ଦେଖିବାକୁ ମିଳି ନାହିଁ । ସୈଫଙ୍କ ଘର ଆପାର୍ଟମେଣ୍ଟର ସପ୍ତମ ମହଲାରେ ରହିଥିବାବେଳେ ଦୁର୍ବୃତ୍ତ ସିଡ଼ି ବାଟ ଦେଇ ଘର ଭିତରେ ପ୍ରବେଶ କରିଥିଲା । ସେ ଚୋରି କରିବାକୁ ଘରେ ପଶିଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ନେଇ କ୍ରାଇମ ବ୍ରାଞ୍ଚ ଡିସିପି ଦୀକ୍ଷିତ ଗେଡ଼ାମ କହିଛନ୍ତି । ତେବେ ସୈଫଙ୍କ ଘରେ କାମ କରୁଥିବା 5 ଜଣ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଛି ।