ଭୁବନେଶ୍ୱର: ରିଲିଜ ହେବନି ପଞ୍ଜାବ 95 । ସଙ୍ଗୀତକାର ଓ ଅଭିନେତା ଦିଲଜିତ୍ ଙ୍କ ଅଭିନୀତ ପଞ୍ଜାବ 95 ସିନେମାର ରିଲିଜକୁ ନେଇ ଏକ ବଡ଼ ଉପଡେଟ ଆସିଛି । ପଂଜାବର ଜଣେ କାର୍ଯ୍ୟକର୍ତ୍ତା ଯଶବନ୍ତ ସିଂ ଖାଲରାଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମଟି ଫେବୃଆରୀ ୭ ତାରିଖରେ ପରଦାକୁ ଆସିବାର ଥିଲା । ଏହି ସିନେମାର ଟ୍ରେଲର ମଧ୍ୟ ରିଲିଜ ହୋଇଯାଇଥିଲା । ମାତ୍ର ବର୍ତମାନ ଏହି ସିନେମାର ରିଲିଜ ଡେଟ ଉପରେ ପ୍ରତିବନ୍ଧକ ଲଗେଇ ଦିଆ ଯାଇଛି । ଧାର୍ଯ୍ୟ ତାରିଖରେ ଫିଲ୍ମ ରିଲିଜ ନ ହେବା ନେଇ ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମ ମାଧ୍ୟମରେ ଦିଲଜିତ୍ ବାର୍ତ୍ତା ଦେଇ ଜଣାଇଛନ୍ତି ।
ଶିଖ କାର୍ଯ୍ୟକର୍ତା ଯଶବନ୍ତ ସିଂ ଖାଲରାଙ୍କ ଜୀବନୀ ଉପରେ ପର୍ଯ୍ୟବେସିତ ଏହି ସିନେମାର ରିଲିଜ ପାଇଁ ୭ ଫେବୃଆରୀ ୨୦୨୫ ତାରିଖ ଧାର୍ଯ୍ୟ କରାଯାଇଥିଲା । ଏହାର ଟ୍ରେଲର ମଧ୍ୟ ରିଲିଜ ହୋଇସାରିଥିଲା । ଫିଲ୍ମଟି କୌଣସି କାଟଛାଟ ବିନା ରିଲିଜ ହେବ ବୋଲି ଦୀଲଜିତ ନିଜର ସୋସିଆଲ ମିଡିଆରେ ଉଲ୍ଲେଖ କରିଥିଲେ । ଦର୍ଶକମାନେ ମଧ୍ୟ ଏହି ସିନେମାର ଅପେକ୍ଷାରେ ଥିଲେ । ମାତ୍ର ଏହା ମଧ୍ୟରେ ଖବର ଆସୁଛି ଯେ ଏହି ଫିଲ୍ମର ରିଲିଜ ତାରିଖକୁ ଆଗକୁ ବଢ଼ାଇ ଦିଆଯାଇଛି । ଏହା ସହିତ ପଞ୍ଜାବ 95 ସିନେମାର ଟ୍ରେଲରକୁ ମଧ୍ୟ ହଟାଇ ଦିଆଯାଇଛି ।
ତେବେ ସୂଚନାନୁଯାୟୀ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ ପଞ୍ଜାବ 95 ସିନେମାରେ ୧୨୦ଟି ସିନକୁ ବାଦ ଦେବାକୁ ପରାମର୍ଶ ଦେଇଛି ।
ଯଶବନ୍ତ ସିଂ ଖାଲରା ତାଙ୍କ ଜୀବନକାଳରେ ୨୫୦୦୦ ଶିଖ ଯୁବକଙ୍କ ହତ୍ୟା ଉପରେ ଆଲୋକପାତ କରିଥିଲେ । ମାତ୍ର ଏହି କାର୍ଯ୍ୟପାଇଁ ତାଙ୍କ ଜୀବନ ମଧ୍ୟ ବିପଦରେ ପଡିଥିଲା । ଖାଲରାଙ୍କୁ ଶେଷଥର ପାଇଁ ସେପ୍ଟେମ୍ବର ୧୯୯୫ ମସିହାରେ ତାଙ୍କ ବାସଭବନ ବାହାରେ ଦେଖିବାକୁ ମିଳିଥିଲା । ଏହାପରେ 6 ଜଣ ପୋଲିସ ଅଫିସଙ୍କୁ ଖାଲରାଙ୍କୁ ଅପହରଣ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି ।