ମୁମ୍ବାଇ: ଦୀର୍ଘ ୫ ଦିନ ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ । ଲୀଲାବତୀ ମେଡ଼ିକାଲରୁ ଡିସଚାର୍ଜ ହେବା ପରେ ସ୍ତ୍ରୀ କରୀନା ସୈଫଙ୍କୁ ନେଇ ତାଙ୍କର ପୁରୁଣା ବାସଭବନକୁ ଫେରିଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବା ପରେ ଡାକ୍ତର ତାଙ୍କୁ ଘରକୁ ଯିବାକୁ ଅନୁମତି ପ୍ରଦାନ କରିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ପୋଲିସ ଅଭିଯୁକ୍ତକୁ ଫର୍ଚ୍ୟନହାଇଟ୍ସ ଆପାର୍ଟମେଣ୍ଟରେ ଥିବା ସୈଫଙ୍କ ବାସଭବନକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏଟ୍ କରିଛି ।
୧୫ ତାରିଖ ବିଳମ୍ବିତ ରାତିରେ ସୈଫ ଅଲ୍ଲୀ ଖାନଙ୍କ ଘରେ ଏକ ଚୋର ପଶିଥିଲା । ଏହି ସମୟରେ ତାଙ୍କର ଘରର ସହାୟିକା ଦେଖି ଦେବାକୁ ହାତାହାତି ହୋଇଥିଲା । ସହାୟିକାଙ୍କ ଚିତ୍କାର ଶୁଣି ସୈଫ ତୁରନ୍ତ ଧାଇଁ ଆସିଥିଲେ । ସହାୟିକା ଏବଂ ନିଜ ପୁଅକୁ ବଞ୍ଚାଇବାକୁ ଯାଇ ସୈଫ ଏକୁଟିଆ ଚୋର ସହିତ ଲଢ଼ିଥିଲେ । ଉକ୍ତ ଦୁର୍ବୃତ୍ତ ସୈଫଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ।
ଫଳରେ ସୈଫଙ୍କୁ ଗଭୀର ଆଘାତ ଲାଗିଥିଲା । ତାଙ୍କ ମେରୁଦଣ୍ଡରେ ଛୁରୀର ଭଗ୍ନାଂଶ ରହିଯାଇଥିଲା । ଲୀଲାବତୀ ମେଡ଼ିକାଲରେ ଅସ୍ତ୍ରୋପଚାର କରାଯାଇ ତାହାକୁ ବାହାର କରାଯାଇଥିଲା । ଏହା ସହିତ ତାଙ୍କ ଶରୀରେ ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ମଧ୍ୟ ହୋଇଥିଲା ।
ପୁଲିସ ଅଭିଯୁକ୍ତକୁ ଗିରଫ କରି ସାରିଛି । ଅଭିଯୁକ୍ତ ଜଣକ ହେଲା ବାଂଲାଦେଶୀ ନାଗରିକ ମହମ୍ମଦ ଶରୀଫୁଲ ଇସ୍ଲାମ । ସେ ମୁମ୍ବାଇରେ ପରିଚୟ ବଦଳାଇ ବିଜୟ ଦାସ ନାମରେ ରହୁଥିଲା । ସେ ମୁମ୍ବାଇରେ ଏକ ହାଉସକିପିଂ ଏଜେନ୍ସିରେ କାମ କରୁଥିଲା ବୋଲି ଜଣାପଡ଼ିଛି । ସେ ବାଂଲାଦେଶର ଜଣେ କୁସ୍ତି ଯୋଦ୍ଧା ଖେଳାଳୀ ବୋଲି ମଧ୍ୟ ଜଣାପଡ଼ିଛି ।