ପ୍ରୟାଗରାଜ: ଦୀର୍ଘ ୨୪ ବର୍ଷ ପରେ ଭାରତ ଫେରିଥିବା ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ମମତା କୁଲକର୍ଣ୍ଣୀଙ୍କୁ ବର୍ତ୍ତମାନ ବେଶ ଚର୍ଚ୍ଚା ଲାଗି ରହିଛି । ଏହାରି ମଧ୍ୟରେ ମମତାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ୯୦ ଦଶକରେ ଦିନେ ବଲିଉଡରେ ରାଜ କରୁଥିବା ଏହି ସୁନ୍ଦରୀ ଅଭିନେତ୍ରୀ ଏବେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ବା ମୁଖ୍ୟ ହେବେ । ସେ ପ୍ରୟାଗରାଜ ମହାକୁମ୍ଭରେ ବୁଡ଼ ପକାଇବା ସହିତ ପିଣ୍ଡଦାନ କରିବେ ବୋଲି ଜଣାପଡ଼ିଛି । କିନ୍ନର ଆଖଡାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ ଲକ୍ଷ୍ମୀନାରାୟଣ ତ୍ରିପାଠୀଙ୍କ ସହିତ ତାଙ୍କର ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି ।
ମମତା କୁଲକର୍ଣ୍ଣି କିନ୍ନର ଆଖଡାରେ ଯୋଗ ଦେବା ପରେ ମହାମଣ୍ଡଳେଶ୍ୱର ହେବାକୁ ଯାଉଛନ୍ତି । ତ୍ରୀବେଣୀ ସଙ୍ଗମରେ ପିଣ୍ଡ ଦାନ କରିବା ପରେ କିନ୍ନର ଆଖଡା ତରଫରୁ ତାଙ୍କର ପଟ୍ଟାଭିଷେକ କରାଯିବ । ମମତା କିନ୍ନର ଆଖଡାର ଆଚାର୍ୟ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ ଲକ୍ଷ୍ମୀନାରାୟଣ ତ୍ରିପାଠୀ ଓ ଜୁନା ଆଖଡ଼ାର ମହାମଣ୍ଡଳେଶ୍ୱର ସ୍ୱାମୀ ଜୟ ଅମ୍ବାନନ୍ଦ ଗିରିଙ୍କ ସହିତ ସାକ୍ଷାତ କରିଛନ୍ତି ।
୨୦୦୦ ମସିହାରେ ଫିଲ୍ମ ଦୁନିଆରୁ ଦୂରେଇ ଯାଇ ଭାରତ ଛାଡ଼ ଚାଲି ଯାଇଥିଲେ । ଏହା ପରେ ନିକଟରେ ଏକ ଭିଡ଼ିଓ ସେୟାର କରି ଭାରତ ଫେରିଛନ୍ତି ବୋଲି କହିଥିଲେ । ଦୀର୍ଘ ବର୍ଷ ପରେ ସେ ନିଜ ଦେଶର ମାଟିରେ ପାଦ ରଖିଥିବାରୁ ବେଶ ଭାବବିହ୍ୱଳ ହୋଇପଡ଼ିଥିଲେ । ସେ ଆଧ୍ୟାତ୍ମିକ ମାର୍ଗରେ ଏବେ ଯାଉଛନ୍ତି ବୋଲି କହିଥିଲେ । ମମତା ବଲିଉଡକୁ ଅନେକ ହିଟ୍ ସିନେମା ଦେଇଛନ୍ତି, ସେଥି ମଧ୍ୟରେ ରହିଛି କରନ୍ ଅର୍ଜୁନ୍, ଛୁପା ରୁସ୍ତମ୍, ବାଜୀ, ଚାଇନା ଗେଟ୍, କ୍ରାନ୍ତିବୀର, ସବସେ ବଡ଼ା ଖିଲାଡ଼ୀ ।