ନୂଆଦିଲ୍ଲୀ: ୱାକଫ୍ ସଂଶୋଧନ ବିଲ୍ ଉପରେ ଗଠିତ ଯୁଗ୍ମ ସଂସଦୀୟ କମିଟି (ଜେପିସି) ବୈଠକରେ ହଙ୍ଗାମା ହୋଇଛି । ଜେପିସି ବୈଠକ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୧୦ ଜଣ ବିରୋଧୀ ସାଂସଦଙ୍କୁ ଦିନକ ପାଇଁ ବୈଠକରୁ ନିଲମ୍ବିତ କରାଯାଇଛି ।
ଶୁକ୍ରବାର ଜେପିସି ଅଧ୍ୟକ୍ଷ ଜଗଦମ୍ବିକା ପାଲଙ୍କ ଅଧ୍ୟକ୍ଷତାରେ ୱାକଫ୍ ସଂଶୋଧନ ବିଲ୍ ଉପରେ ଗଠିତ ଯୁଗ୍ମ ସଂସଦୀୟ କମିଟି ବୈଠକ ବସିଥିଲା । ଏହି ସମୟରେ ପ୍ରବଳ ହଙ୍ଗାମା ହୋଇଥିଲା । ଜେପିସି ଅଧ୍ୟକ୍ଷ ଜଗଦମ୍ବିକା ପାଲ ଟିଏମସି ନେତା କଲ୍ୟାଣ ବାନାର୍ଜୀଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି । ଦୁଇ ଥର ବୈଠକୁ ସ୍ଥଗିତ ରଖିବାକୁ ପଡ଼ିଲା । ଉମର ଫାରୁକଙ୍କୁ କହିବାକୁ ମଧ୍ୟ ସୁଯୋଗ ଦିଆଗଲା । କିନ୍ତୁ କଲ୍ୟାଣ ବାନାର୍ଜୀଙ୍କୁ ଅସଂସଦୀୟ ଭାଷା କହିଥିବା ସେ ଅଭିଯୋଗ କରିଛନ୍ତି । ଜମ୍ମୁ-କାଶ୍ମୀରରୁ ଏକ ପ୍ରତିନିଧି ମଣ୍ଡଳ ଆସିଥିଲେ । ସେମାନେ ନିଜର ମତ ରଖୁଥିଲେ। କିନ୍ତୁ ବିରୋଧୀ ସଦସ୍ୟ ଜାଣିଶୁଣି ନାରାବାଜି କରୁଥିଲେ ।
ଏହା ପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ବିରୋଧୀ ସଦସ୍ୟଙ୍କ ବିପକ୍ଷରେ ନିଲମ୍ବନ ପ୍ରସ୍ତାବ ଆଣିଥିଲେ । ଫଳରେ ୧୦ ଜଣଙ୍କୁ ଦିନକ ପାଇଁ ନିଲମ୍ବିତ କରାଯାଇଛି । ନିଲମ୍ବିତ ସଦସ୍ୟମାନେ ସେମାନେ ହେଲେ ମହମ୍ମଦ ଜାଭେଦ୍, ଟିଏମସି ନେତା କଲ୍ୟାଣୀ ବାନାର୍ଜୀ, ଡିଏମକେ ନେତା ଏ ରାଜା, ଅସଦୁଦ୍ଦିନ ଓବେସୀ, ନାସିର ହୁସୈନ, ମୋହିବୁଲ୍ଲାହ ନଦବୀ, ଏମ୍ ଅବଦ୍ଦୁଲ୍ଲା, ଅରବିନ୍ଦ ସାୱାନ୍ତ, ନଦୀମୁସା ହକ ଏବଂ ଇମରାନ ମସୁଦ ।
ତେବେ ଆସନ୍ତା ୨୭ ଜାନୁଆରୀରେ ଜେପିସିର ପରବର୍ତ୍ତୀ ବୈଠକ ବସିତ । ୨9 ତାରିଖରେ ଲୋକସଭା ବାଚସ୍ପତି ରିପୋର୍ଟ ପ୍ରଦାନ କରାଯିବ ।