ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଖାତିଗୁଡା ଜବାହାର ନବୋଦୟ ବିଦ୍ୟାଳୟରେ ପ୍ରାୟ ୧୫୦ରୁଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତ ସମସ୍ତଙ୍କୁ ତେନ୍ତୁଳିଖୁଣ୍ଟି ମେଡିକାଲ ଟିମ ଓ ନବରଙ୍ଗପୁର ମେଡିକାଲ ଟିମ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ଯେଉଁମାନେ ଅଧିକ ଗୁରୁତର ହୋଇଛନ୍ତି ସେମାନଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।
ଅନ୍ୟପଟେ କେଉଁ କାରଣରୁ ଝାଡାବାନ୍ତି ବ୍ୟାପିଛି ତାହା ଅସ୍ପଷ୍ଟ ରହିଛି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଡାକ୍ତରୀ ଟିମ ପାଣି ଆଉ ଖାଦ୍ୟର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବ କୁ ପଠେଇଥିବା ଜଣାପଡିଛି ।ସୂଚନା ପ୍ରକାରେ ଗତ ଦୁଇ ଦିନ ହେବ କିଛି ଛାତ୍ରୀଙ୍କୁ ଝାଡ଼ାବାନ୍ତି ହେବାର ଦେଖାଦେଇଥିଲା । ପରେ ଶତାଧିକ ଛାତ୍ରୀଙ୍କୁ ଏହି ଝାଡ଼ାବାନ୍ତି ବ୍ୟାପିଥିବା ଦେଖିବାକୁ ମିଳିଥିଲା । ବିଦ୍ୟାଳୟ ର ଅଧ୍ୟକ୍ଷ ତେନ୍ତୁଳିଖୁଣ୍ଟି ମେଡିକାଲ ଟିମ କୁ ଖବର ଦେବା ପରେ ସେମାନେ ବିଦ୍ୟାଳୟ ରେ ପହଞ୍ଚି ଆକ୍ରାନ୍ତ ମାନଙ୍କୁ ଚିକିତ୍ସା କରିବାକୁ ଆରମ୍ଭ କରିଥିଲେ । ବର୍ତ୍ତମାନ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥା ସୁଧାର ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି ।