ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଜାନୁଆରୀ ୨୫ରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ପାଇଁ ଆସିଛି ନିରାଶଜନକ ଖବର । ତାରକା ଉଦୀୟମାନ ଓପନର ଅଭିଷେକ ଶର୍ମା ଆହତ ହୋଇଛନ୍ତି । ତାଙ୍କ ଗୋଇଠିରେ ଆଘାତ ଲାଗିଛି । ଯେଉଁ କାରଣରୁ ତାଙ୍କୁ ଦ୍ୱିତୀୟ ଟି-୨୦ରୁ ବାହାରେ ବସିବାକୁ ପଡିପାରେ । ପିଟିଆଇ ଅନୁସାରେ ଶୁକ୍ରବାର କ୍ୟାଚ୍ ଅଭ୍ୟାସ ସମୟରେ ଅଭିଷେକଙ୍କ ଗୋଇଠି ମୋଡି ହୋଇ ଯାଇଥିଲା । ଏହା ପରେ ଫିଜିଓ ତାଙ୍କ ଆହତ ସମସ୍ୟା ପଚାରି ବୁଝିଥିଲେ । ଆହତ କାରଣରୁ ଅଭିଷେକଙ୍କୁ ଡ୍ରେସିଂ ରୁମରେ ବସିଥିବା ଦେଖିବାକୁ ମିଳିଥିଲା ।
ଅଭିଷେକ ଶର୍ମାଙ୍କ ଗୋଇଠି ମୋଡି ହେବା ପରେ ତାଙ୍କୁ ଛୋଟେଇ ଛୋଟେଇ ଡ୍ରେସିଂ ରୁମ ଆଡକୁ ଯାଉଥିବା ଦେଖିବାକୁ ମିଳିଥିଲା । ଏହା ପରେ ସେ ପୁନର୍ବାର ନେଟ୍ସକୁ ଅଭ୍ୟାସ ପାଇଁ ଆସି ନ ଥିଲେ । ଡ୍ରେସିଂ ରୁମରେ ଅଭିଷେକ ଶର୍ମା ଫିଜିଓଙ୍କ ସହ ଅଧ ଘଣ୍ଟା ବସିଥିଲେ । ଉଲ୍ଲେଖନୀୟ କୋଲକାତାରେ ଖେଳା ଯାଇଥିବା ପ୍ରଥମ ଟି-୨୦ରେ ଏହି ବାମହାତୀ ଷ୍ଟାଇଲିସ ବ୍ୟାଟର ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୩୪ ବଲରୁ ୭୯ ରନର ଇନିଂସ ଖେଳିଥିଲେ । ତାଙ୍କର ଏହି ଇନିଂସ ଦମରେ ଭାରତ ୭ ୱିକେଟରେ ମ୍ୟାଚ୍ ଜିତିଥିଲା ।
ପ୍ରଥମ ଟି-୨୦ରେ ମହମ୍ମଦ ଶାମି ଚୂଡାନ୍ତ ଏକାଦଶରେ ସାମିଲ ନ ହେବା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ତାଙ୍କର ଫିଟନେସକୁ ନେଇ ଏ ପର୍ଯ୍ୟନ୍ତ କୌଣସି ବୟାନ ଜାରି କରାଯାଇ ନାହିଁ । ଏମିତିରେ ଅଭିଷେକ ଶର୍ମା ଆହତ ହେବା ଖବର ଭାରତ ଦଳ ପାଇଁ ଡବଲ ଝଟକା ହୋଇପାରେ । ଯଦି ଅଭିଷେକ ଦ୍ୱିତୀୟ ଟି-୨୦ ନ ଖେଳନ୍ତି ତେବେ ତାଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦର କିମ୍ବା ଧ୍ରୁବ ଜୁରେଲଙ୍କୁ ସୁଯୋଗ ମିଳିପାରେ । ଏମିତି ହେଲେ ତିଳକ ବର୍ମାଙ୍କ ତୃତୀୟ କ୍ରମରେ ପଠା ଯାଇପାରେ ।