ଭୁବନେଶ୍ୱର: ଓଡ଼ିଶା-ଛତିଶଗଡ଼ ସୀମାରେ ଉଭୟ ରାଜ୍ୟର ସୁରକ୍ଷାବଳ କରିଥିବା ୪ଦିନର ନକ୍ସଲ ବିରୋଧୀ ଅପରେସନରେ ୧୬ ଜଣ ମାଓବାଦୀ ନିପାତ ହୋଇଛନ୍ତି । ସେଥି ମଧ୍ୟରୁ ୧୨ ଜଣ ମାଓବାଦୀଙ୍କ ପରିଚୟ ମିଳିଛି । ଏମାନଙ୍କ ନାମରେ ମୋଟ ୩ କୋଟିରୁ ଉର୍ଦ୍ଧ୍ୱ ପୁରସ୍କାର ଘୋଷଣା କରିଥିଲେ ତିନି ରାଜ୍ୟ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ ଏବଂ ଓଡ଼ିଶା ସରକାର । ତେବେ ଏଥିରେ ଓଡ଼ିଆ ଯୁବକ ଥିବା ମଧ୍ୟ ସ୍ପଷ୍ଟ ହୋଇଛି । ଆଲୋକ ଓରଫ୍ ମୁନ୍ନାର ଘର କଟକ ଜିଲ୍ଲା ନିଆଳି କୁଲାଶ୍ରୀରେ ବୋଲି ଜଣାପଡିଛି ।
ମୃତ ମାଓବାଦୀମାନେ ହେଲେ ଜୟରାମ ଓରଫ୍ ଚଲପତି, ଗୁଡ଼ୁ, ସତ୍ୟମ୍ ଗାବଡ଼େ ଓରଫ୍ ସୁରେନ୍ଦ୍ର ଓରଫ୍ ଉଡେଲ୍ ଗାବଡ଼େ, ଆଲୋକ ଓରଫ୍ ମୁନ୍ନା, ଶଙ୍କର, କଲମୁ ଦେବେ, ମଞ୍ଜୁ, ରିଙ୍କି, ସୁଖରାମ, ରାମେ ଓୟମ୍, ଜୈନୀ ଓରଫ୍ ମାସେ ଉଚାକେ ଏବଂ ମନ୍ନୁ । ଏଥିରେ ଥିବା ୫ ମହିଳା ମାଓବାଦୀ ହେଲେ କଲମୁ, ଜୈନୀ, ମଞ୍ଜୁ, ରିଙ୍କି ଓ ରାମେ ।
ମୃତ ମାଓବାଦୀ ହେଲେ କୁଖ୍ୟାତ କେନ୍ଦ୍ରୀୟ କମିଟି ମାଓନେତା ଜୟରାମ ଓରଫ୍ ଚଲପତି । ତା ନାଁରେ କୋଟିଏ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସେହିପରି ଗୁଡ଼ୁ ଓ ସତ୍ୟମ୍ ଗାବଡ଼େ ନାମରେ ୬୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରଖାଯାଥିଲା । ଅନ୍ୟ ଜଣେ ହେଲା ଆଲୋକ ଓରଫ୍ ମୁନ୍ନା ନାମରେ ୧୮ ଲକ୍ଷ ଏବଂ ମନ୍ନୁ ଉପରେ ୧୪ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା ।
ଅନ୍ୟପକ୍ଷରେ ଶଙ୍କର, କଲମୁ ଦେବେ, ମଞ୍ଜୁ ଏବଂ ରିଙ୍କିକୁ ମଧ୍ୟ ଏନାକାଉଣ୍ଟର କରାଯାଇଛି । ଏମାନଙ୍କ ନାମରେ ୯ ଲକ୍ଷ ଲେଖାଏଁ ମୁଣ୍ଡ ଜାମିନ୍ ରହିଥିଲା । ଜୈନୀ ଓରଫ୍ ମାସେ ମୁଚାକୀ, ରାମେ ଓୟମ୍ ଏବଂ ସୁଖରାମଙ୍କ ନାମରେ ୩ ଲକ୍ଷ ଲେଖାଏଁ ପରୁସ୍କାର ରାଶି ଘୋଷଣା କରାଯାଇଥିଲା ।
ତେବେ ଜୟରାମର ମୃତ ଦେହକୁ ନେବାକୁ ତାର ଶ୍ୱଶୁର ଲକ୍ଷ୍ମଣ ରାଓ ଆନ୍ଧ୍ର ପ୍ରଦେଶରୁ ଯାଇ ରାୟପୁରରେ ପହଁଚିଥିଲା । ସେ ଜୟରାମର ମୃତ ଦେହକୁ ନେଇ ଯାଇଛନ୍ତି । ସେ ଖବର କାଗଜରୁ ଜୟରାମର ମୃତ୍ୟୁ ବିଷୟରେ ଜାଣିବାକୁ ପାଇଥିଲେ । ମାଓବାଦୀରୁ ଦୂରେଇ ରହିବାକୁ ତାକୁ ଅନେକ ଥର ବୁଝାଇବାକୁ ଚେଷ୍ଟା କରିଥିଲେ ବୋଲି ସେ କହିଛନ୍ତି ।