ନୂଆଦିଲ୍ଲୀ: ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଫିଟନେସକୁ ନେଇ ଚିନ୍ତା ମଧ୍ୟରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳିବ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ନଜର ସିରିଜରେ ଅଗ୍ରଣୀ ହାସଲ କରିବା ଉପରେ ରହିଛି । ପ୍ରଥମ ମ୍ୟାଚରେ ଭାରତୀୟ ଦଳ ଏକତରଫା ବିଜୟ ହାଲସ କରିଥିଲା । ଏହି ମ୍ୟାଚରେ ଭାରତୀୟ ଦଳ ତିନି ବିଶେଷଜ୍ଞ ସ୍ପିନର ସହ ମଇଦାନକୁ ଓହ୍ଲାଇଥିଲା ।
ଇଡେନ ଗାର୍ଡେନର ପିଚ୍ ଦ୍ରୁତ ବୋଲର ଓ ସ୍ପିନରଙ୍କୁ ପର୍ଯ୍ୟାପ୍ତ ସହାୟତା ମିଳୁଥିଲା । ମାତ୍ର ଚେପକ ଷ୍ଟାଡିୟମର ପିଚରେ ସ୍ପିନରଙ୍କୁ ଅଧିକ ସାହାଯ୍ୟ ମିଳିବାର ସମ୍ଭାବନା ଅଧିକ ରହିଛି । ଏମିତି ସ୍ଥିତିରେ ବରୁଣ ଚକ୍ରବର୍ତ୍ତୀ, ଉପ ଅଧିନାୟକ ଅକ୍ଷର ପଟେଲ୍ ଓ ରବି ବିଷ୍ଣୋଇଙ୍କ ଖେଳିବା ନିଶ୍ଚିତ ଲାଗୁଛି । ତେବେ ସଭିଙ୍କ ମନରେ ଗୋଟିଏ ପ୍ରଶ୍ନ ମହମ୍ମଦ ଶାମି କେବେ ମଇଦାନକୁ ଓହ୍ଲାଇବେ । ୨୦୨୩ ବିଶ୍ୱକପ୍ ଫାଇନାଲ୍ ପରଠୁ ସେ ଆଉ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାନ୍ତି । ଆଶା କରାଯାଉଥିଲା ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଶାମିଙ୍କୁ ଦେଖିବାକୁ ମିଳିବ । ହେଲେ ଦଳ ପ୍ରବନ୍ଧକ ଅଲରାଉଣ୍ଡର ନୀତିଶ ରେଡ୍ଡୀଙ୍କୁ ସୁଯୋଗ ଦେଇଥିଲେ ।
ଅର୍ଶଦୀପ ସିଂ ଏକମାତ୍ର ବିଶେଷଜ୍ଞ ଦ୍ରୁତ ବୋଲର ଭାବେ ଖେଳିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ୱିତୀୟ ଦ୍ରୁତ ବୋଲରର ଭୂମିକା ନିର୍ବାହ କରିଥିଲେ । ଯଦି ଆସନ୍ତାକାଲି ଦ୍ୱିତୀୟ ଟି-୨୦ରେ ମହମ୍ମଦ ଶାମି ଖେଳନ୍ତି ତେବେ ନୀତିଶ ରେଡ୍ଡୀଙ୍କୁ ବେଞ୍ଚରେ ବସିବାକୁ ପଡିପାରେ । ନଚେତ୍ ଦଳରେ ସେମିତି କିଛି ପରିବର୍ତ୍ତର ସମ୍ଭାବନା କ୍ଷୀଣ ରହିଛି ।