ମୟୂରଭଞ୍ଜ : ସମ୍ପର୍କରେ ଲାଗିଲା ରକ୍ତଛିଟା ।ରାସନ ଚାଉଳ ଭାଗ ବଣ୍ଟାକୁ ନେଇ ମା’କୁ ହତ୍ୟା କଲା ସୈତାନ ପୁଅ। ମା’କୁ ହତ୍ୟା କରିବା ପରେ ନିଜେ ଜୀବନ ହାରିବାକୁ କଲା ଉଦ୍ୟମ। ଚାଉଳ ଭାଗ ବଣ୍ଟାକୁ ନେଇ ନିଜ ଜନ୍ମ କଲା ମା’କୁ ଏକ କୋଦାଳ ରେ ବୃଦ୍ଧା ମା’ମୁଣ୍ଡକୁ ଆକ୍ରମଣ କରି ନୃଶଂସ ଭାବେ ହତ୍ୟା କରିଛି ପୁଅ। ଏହିପରି ଲୋମଘର୍ଷଣ କାରୀ ଘଟଣା ବାରିପଦା ସଦର ଥାନା ଅନ୍ତର୍ଗତ ଶରତଚନ୍ଦ୍ରପୁର ଅଞ୍ଚଳରେ ଘଟିଯାଇଛି। ମୃତକ ଜଣକ ହେଲେ ସେହି ଗ୍ରାମର ରଇବାରି ସିଂ।
ସୂଚନା ଅନୁଯାୟୀ ପୂର୍ବରୁ ରାଇବାରିଙ୍କ ଦୁଇ ପୁଅ ରଇଦାସ ସିଂ ଓ ଲକ୍ଷ୍ମୀକାନ୍ତ ସିଂ ମଧ୍ୟରେ ପାରିବାରିକ କଲହ ଲାଗି ରହିଥିଲା। ତେବେ ୧୦କେଜି ଚାଉଳ ଭାଗ ବଣ୍ଟାକୁ ନେଇ ମା ଓ ପୁଅ ରଇଦାସ ସିଂ ବଚସା ହୋଇଥିଲା। ଯୁକ୍ତିତର୍କ ବଢିବା ସହ କଥା କଟାକଟି ହେବାରୁ ରୋଇଦାସ ଉତକ୍ଷିପ୍ତ ହୋଇ ମା ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲା। ଯାହା ଫଳରେ ପ୍ରଚୁର ରକ୍ତସ୍ରାବ ହେବାରୁ ଘଟଣାସ୍ଥଳରେ ହିଁ ମା ରଇବାରି ସିଂଙ୍କ ମୃତ୍ୟୁ ହୋଇଥିଲା। ସୈତାନ ପୁଅ ଜନ୍ମ କଲା ମା’କୁ ହତ୍ୟା କରିବା ପରେ ନିଜ ଗଳାକୁ ମଧ୍ଯ ଏକ ଦାଆରେ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା। ତେବେ ଅନ୍ୟ ଜଣେ ପୁଅ ଲକ୍ଷ୍ମୀକାନ୍ତ ସିଂ ଦିନ ମଜୁରିଆ କାମ କରିବାକୁ ଯାଇଥିବା ବେଳେ ମଧ୍ୟାହ୍ନ ସମୟରେ ଘରକୁ ଫେରି ଘଟଣା ବାବଦରେ ଜାଣିବାକୁ ପାଇଥିଲା ।ଘର ବାରଣ୍ଡାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମା ମୃତ ଦେଖି ଭାଇ ରଇଦାସକୁ ଘଟଣା ବାବଦରେ ପଚାରିବାରୁ ସେ ହତ୍ୟା କରିଥିବାର ନେଇ ସ୍ୱୀକାର କରିଥିଲା।
ତେବେ ରଇଦାସ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବାରୁ ତାଙ୍କ ଗଳାରୁ ପ୍ରଚୁର ରକ୍ତସ୍ରାବ ହେଉଥିବାରୁ ତାଙ୍କୁ ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିମନ୍ତେ ପିଆରଏମ ହସ୍ପିଟାଲକୁ ପଠାଇଛନ୍ତି। ଏନେଇ ପୁଅ ଲକ୍ଷ୍ମୀକାନ୍ତ ସିଂ ଅଭିଯୋଗକ୍ରମେ ବାରିପଦା ସଦର ଥାନାରେ ମାମଲା ରୁଜୁ କରି ହତ୍ୟାକାରୀ ପୁଅ ରଇଦାସ ସିଂକୁ ପୁଲିସ ଗିରଫ କରିଛି । ସେ ଅସୁସ୍ଥ ଥିବାରୁ ହସ୍ପିଟାଲରେ ପୁଲିସ ହେପାଜତରେ ତାଙ୍କର ଚିକିତ୍ସା ଜାରି ରହିଛି। ସେ ସୁସ୍ଥ ହେବା ପରେ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।