ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖୁବ ଶୀଘ୍ର ଟୋଲରୁ ବଡ ଆଶ୍ୱସ୍ତି ଦେବାକୁ ଯାଉଛନ୍ତି । ଏମିତି ସଙ୍କେତ ଦେଇଛନ୍ତି କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ । ନିକଟରେ ଏକ ଟିଭି ଚ୍ୟାନେଲରେ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ, ଟୋଲକୁ ନେଇ ସଭିଙ୍କ ଅଭିଯୋଗ ଶେଷ ହେବାକୁ ଯାଉଛି । ଏଥିରୁ ସଙ୍କେତ ମିଳିଛି ଯେ, ଟୋଲ୍ ଟ୍ୟାକ୍ସକୁ ନେଇ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହା ପୂର୍ବରୁ ବଜେଟ୍ ୨୦୨୫ରେ ବାର୍ଷିକ ୧୨ ଲକ୍ଷ ଟଙ୍କା ଆୟ ଉପରେ ଟିିକସ ଛାଡ ଘୋଷଣା କରିଥିଲେ ସରକାର ।
ଏନଡିଟିଭି ସହ ଆଲୋଚନାରେ ଗଡକରୀ କହିଛନ୍ତି, ଶୀଘ୍ର ଟୋଲରୁ ଲୋକଙ୍କୁ ଆଶ୍ୱସ୍ତି ମିଳିବ । ଏହାକୁ ନେଇ ଆମର ଅଧ୍ୟୟନ ପୂରା ହୋଇ ସାରିଛି । ଆମେ ଶୀଘ୍ର ଏମିତି ସ୍କିମ ଆଣିବୁ ଯାହା ଲୋକଙ୍କୁ ଟୋଲରୁ ଏକ ପ୍ରକାରର ଆଶ୍ୱସ୍ତି ପ୍ରଦାନ କରିବ । କିନ୍ତୁ ଗଡକରୀ ଏହି ବିଷୟରେ କିଛି ବିସ୍ତାର ଭାବେ କହି ନାହାନ୍ତି ।
ଗଡକରୀ କହିଛନ୍ତି, ମୋର ବହୁତ କାର୍ଟୁନ ବାହାରୁଛି । ସାମାଜିକ ଗଣମାଧ୍ୟମରେ ଲୋକେ ମୋତେ ଟ୍ରୋଲ କରୁଛନ୍ତି । ଟୋଲକୁ ନେଇ ବହୁତ ଅସନ୍ତୋଷ ପ୍ରକାଶ କରୁଛନ୍ତି । ମୁଁ ବାସ୍ ଏତିକି କହିବାକୁ ଚାହୁଁଛି ଯେ, ଆଗାମୀ ଦିନରେ ଲୋକଙ୍କ ଏହି ଅସନ୍ତୋଷ ଦୂର ହେବାକୁ ଯାଉଛି । ଏହିପରି ଭାବେ ଗଡକରୀ ଟୋଲ ଟ୍ୟାକ୍ସ ତରିକାରେ ପରିବର୍ତ୍ତନର ସଙ୍କେତ ଦେଇଛନ୍ତି ।
ଯେବେ ଗଡକରୀଙ୍କୁ ଟୋଲରେ ବାରମ୍ବାର ଅଟକିବା ନେଇ ପ୍ରଶ୍ନ କରାଗଲା ସେ କହିଛନ୍ତି, ୯୯ ପ୍ରତିଶତ ଟୋଲରେ ଫ୍ୟାସଟ୍ୟାଗ ରହିଛି । ଗାଡିକୁ ଅଟକିବାର ଆବଶ୍ୟକତା ପଡିବ ନାହିଁ । ଏହାକୁ ସାଟେଲାଇଟ ସହ ଯୋଡିବାକୁ ପ୍ରସ୍ତୁତି ଚାଲିଛି । ଏହା ବାଦ୍ ସରକାର ଏ ସଂପର୍କରେ ଅନେକ ନୀତି ଜାରି କରିବେ ବୋଲି କହିଛନ୍ତି ନୀତିନ ଗଡକରୀ ।