ମାଲକାନଗିରି: ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଘରେ ଟଙ୍କାର ଭଣ୍ଡାର । ଆଜି ଭିଜିଲାନ୍ସ ଚଢ଼ାଉବେଳେ ନଗଦ ଦେଢ଼ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ସହିତ ପ୍ରାୟ କେଜିଏ ପରେ ସୁନା ଜବତ କରାଯାଇଛି । ଆଉ ଜବତ ଟଙ୍କାକୁ ଗଣିବାକୁ ନାକେଦମ୍ ହୋଇପଡ଼ିଛି ଭିଜିଲାନ୍ସ ଟିମ୍।
ଆଜି ସକାଳୁ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍ । ତାଙ୍କର ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ଏକକାଳୀନ ରେଡ୍ କରାଯାଇଛି । କଟକ ବାଲିସାହିରେ ଥିବା ପୈତୃକ ଘର, ଭୁବନେଶ୍ୱର, ମାଲକାନଗିରି କାର୍ୟ୍ୟାଳୟ, ଜୟପୁରରେ ଥିବା ଘର ଭଳି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି କରାଯାଇଛି । ଜୟପୁର ଘରେ ଚଢ଼ାଉବେଳେ ସରକାରୀ ବାବୁଙ୍କ ଟଙ୍କାର ଭଣ୍ଡାର ଦେଖି ତାଜୁବ ଭିଜିଲାନ୍ସ ଟିମ୍ । ଘରୁ ବାହାରୁଛି ବିଡ଼ା ବିଡ଼ା ଟଙ୍କା । ପ୍ରାୟ ଦେଢ଼ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେବା ବୋଲି ଅନୁମାନ କରାଯାଉଛି ।
ଭିଜିଲାନ୍ସ ଟିମ୍ ମେସିନ୍ ସାହାଯ୍ୟରେ ଟଙ୍କା ଗଣାଯାଇଛି । ଏହି ମାମଲାରେ ମାଲକାନଗିରି କୃଷି ବିଭାଗ ଇଞ୍ଜିନିୟର ମୋହନ ମଣ୍ଡଳ, ଡାଟା ଏଣ୍ଟ୍ରି ଅପରେଟର୍ ବିଶ୍ୱଜିତ୍ ମଣ୍ଡଳ ଏବଂ ଅନ୍ୟ ଜଣେ କର୍ମଚାରୀ ଅମିୟକାନ୍ତ ସାହୁଙ୍କ ବାସଭବନରେ ଯାଞ୍ଚ କରାଯାଉଛି । ଶାନ୍ତନୁ ମହାପାତ୍ର ଗତ ୩ ବର୍ଷ ହେବ ମାଲକାନଗିରି ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକଭାବେ କାର୍ୟ୍ୟ କରି ଆସୁଛନ୍ତି ।
ଏହି ଚଢ଼ାଉରେ ଅତିରିକ୍ତ ଏସପି, ଚାରି ଜଣ ଡ଼ିଏସପି, ୧୦ ଇନିସ୍ପେକ୍ଟର, ୬ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀ ମଧ୍ୟ ସାମିଲ ହୋଇଛନ୍ତି । ଖବର ପ୍ରକାଶ ବେଳକୁ ଚଢ଼ାଉ ଜାର ରହିଥିବାବେଳେ ମୋଟ ସମ୍ପତ୍ତିର ଆକଳନ କରାଯାଇ ନ ଥିଲା ।