ପ୍ରୟାଗରାଜ: ବିବାଦୀୟ ଅଭିନେତ୍ରୀ ମମତା କୁଲକର୍ଣ୍ଣୀରୁ ହୋଇଛନ୍ତି ମମତାନନ୍ଦ ଗିରି । ଅଭିନେତ୍ରୀରୁ ବଦଳି ହୋଇଯାଇଛନ୍ତି ସାଧ୍ୱୀ । ପ୍ରୟାଗରାଜ ମହାକୁମ୍ଭରେ ବୁଡ଼ ପକାଇ ପିଣ୍ଡ ଦାନ କରିବା ପରେ ତାଙ୍କର ପଟ୍ଟାଭିଷେକ ହୋଇଛି । ସେ ଏବେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ହୋଇଛନ୍ତି । କିନ୍ନର ଆଖଡାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ ଲକ୍ଷ୍ମୀନାରାୟଣ ତ୍ରିପାଠୀଙ୍କ ଉପସ୍ଥିତିରେ ତାଙ୍କୁ ମିଳିଛି ନୂତନ ପରିଚୟ, ତାହା ହେଲା ଶ୍ରୀ ୟାମି ମମତାନନ୍ଦ ଗିରି ।
ହଠାତ୍ ଦୀର୍ଘ ୨୪ ବର୍ଷ ପରେ ଭାରତକୁ ପ୍ରତ୍ୟାବର୍ତ୍ତନ କରିବା ଏବଂ କିନ୍ନର ଆଖଡ଼ାରେ ଯୋଗ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କିନ୍ନର ଆଖଡ଼ା ସନାତନ ଧର୍ମର ୧୩ଟି ପ୍ରମୁଖ ଆଖଡ଼ା ମଧ୍ୟରୁ ଅନ୍ୟତମ । ଏଥିରେ ସନ୍ନ୍ୟାସୀ ହେବା ପରେ ମଧ୍ୟ ସାଂସାରିକ ଜୀବନ ଅତିବାହିତ କରିହେବ । ଏଥିରେ ପାରିବାରିକ ସମ୍ପର୍କ ଛିନ୍ନ କରିବା ଆବଶ୍ୟକ ନାହିଁ । ସେଥିପାଇଁ ସେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ହେବା ସହିତ ଭୌତିକ ଜୀବନ ବଞ୍ଚିପାରିବେ । ଏଥରେ ଜଣେ ବୈରାଗୀର ଜୀବନ ବଞ୍ଚିବା ଆବଶ୍ୟକ ନାହିଁ ।
ବିବାଦରେ ପୂର୍ଣ୍ଣ ମମତାଙ୍କ ଜୀବନ କାହାଣୀ
୯୦ ଦଶକର ପ୍ରଖ୍ୟାତ ଅଭିନେତ୍ରୀ ମମତା ଦୀର୍ଘ ୨୪ ବର୍ଷ ପରେ ଭାରତ ଫେରିଥିଲେ । ସେ ଅନେକ ବିବାଦରେ ରହିଛନ୍ତି । ଡ୍ରଗ୍ସ ମାଫିଆ ସହିତ ବିବାହ ଚର୍ଚ୍ଚା, ଟପ୍ ଲେସ୍ (ବସ୍ତ୍ର ବିହୀନ) ଫଟୋ ସୁଟ୍ ଓ ଅଣ୍ଡରୱାର୍ଲଡ୍ ଡନ୍ ସହିତ ସମ୍ପର୍କ ଥିବା ନେଇ ଅନେକ ବିବାଦ ଘେରରେ ରହିଥିଲେ ମମତା । ୨୦୧୩ ମସିହାରେ ଦୁବାଇରେ ଡ୍ରଗ୍ସ ମାଫିଆ ବିକି ଗୋସ୍ୱାମୀକୁ ବିବାହ କରିଥିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ସେହି ଡ୍ରଗ୍ସ ମାଫିଆ ୧୨ ବର୍ଷ ପର୍ୟ୍ୟନ୍ତ ଜେଲ ଯାଇଛନ୍ତି । ୨୦୧୬ରେ ମୁମ୍ବାଇ ପୋଲିସ ଜବତ କରିଥିବା ୮୦ ଲକ୍ଷ ଟଙ୍କାର ଡ୍ରଗ୍ସ କାରବାରେ ମମତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲା । ତେବେ ସେ ଭାରତ ଫେରିବା ପରେ ସେ ଉକ୍ତ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲେ । ସେହିପରି ୧୯୯୩ରେ ଯେତେବେଳେ ସେ ବଲିଉଡରେ ରାଜ କରୁଥିଲେ ସେତେବେଳେ ଟପ୍ ଲେସ୍ ଫଟୋ ସୁଟ୍ କରି ଚର୍ଚ୍ଚାକୁ ଆସିଥିଲେ । ଏମିତିକୁ ଅଣ୍ଡରୱାର୍ଲଡ୍ ଡନ୍ ସହିତ ଜଡ଼ିତ ଥିବା ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା ।
ବଲିଉଡକୁ ଦେଇଛନ୍ତି ଏକାଧିକ ହିଟ୍ ଫିଲ୍ମ
୨୦୦୦ ମସିହାରେ ଫିଲ୍ମ ଦୁନିଆରୁ ଦୂରେଇ ଯାଇ ଭାରତ ଛାଡ଼ ଚାଲି ଯାଇଥିଲେ । ଏହା ପରେ ନିକଟରେ ଏକ ଭିଡ଼ିଓ ସେୟାର କରି ଭାରତ ଫେରିଛନ୍ତି ବୋଲି କହିଥିଲେ । ଦୀର୍ଘ ବର୍ଷ ପରେ ସେ ନିଜ ଦେଶର ମାଟିରେ ପାଦ ରଖିଥିବାରୁ ବେଶ ଭାବବିହ୍ୱଳ ହୋଇପଡ଼ିଥିଲେ । ସେ ଆଧ୍ୟାତ୍ମିକ ମାର୍ଗରେ ଏବେ ଯାଉଛନ୍ତି ବୋଲି କହିଥିଲେ । ମମତା ବଲିଉଡକୁ ଅନେକ ହିଟ୍ ସିନେମା ଦେଇଛନ୍ତି, ସେଥି ମଧ୍ୟରେ ରହିଛି କରନ୍ ଅର୍ଜୁନ୍, ଛୁପା ରୁସ୍ତମ୍, ବାଜୀ, ଚାଇନା ଗେଟ୍, କ୍ରାନ୍ତିବୀର, ସବସେ ବଡ଼ା ଖିଲାଡ଼ୀ ।