ଭୁବନେଶ୍ୱର: ଆସନ୍ତା ଦୁଇ ଦିନ ପାଇଁ ରାଜ୍ୟରେ କାଳବୈଶାଖୀ ନିମନ୍ତେ ସତର୍କ ସୂଚନା ଜାରି କରାଯାଇଛି । ଏହା ପରେ ପୁଣି ରାଜ୍ୟରେ ପାରଦ ଉପରମୁହାଁ ହେବ । ଦୁଇରୁ ତିନି ଦିନ ପରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ । ତେବେ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର ସମ୍ଭାବନା ରହିଛି । ଆସନ୍ତା ୮ ତାରିଖରୁ କଲବଲ କରିବ ତାତି । ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି ।
ରାଜ୍ୟରେ କାଳବୈଶାଖୀର ସମ୍ଭାବନା ରହିଥିବାରୁ ପାଞ୍ଚଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଭଦ୍ରକ ଓ ଗଜପତି । ସେହିପରି ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି କାଳବୈଶାଖୀର ପ୍ରଭାବ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ମଧ୍ୟ ଅନୁଭୂତ ହେବ ।
ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିପାରେ । ଆଗାମୀ ୭ ତାରିଖ ପର୍ଯ୍ୟନ୍ତ ଘଡ଼ଘଡ଼ି ସହିତ କୁଆପଥର ବର୍ଷା ଓ ତୀବ୍ର ପବନର ଆଶଙ୍କା ରହିଛି । ଏହା ପ୍ରଭାବରେ ରାଜ୍ୟରେ ତାପମାତ୍ରା କମ୍ ରହିବ । ମାତ୍ର କାଳବୈଶାଖୀ ଅନ୍ତେ ରାଜ୍ୟରେ ତାତି ବଢିବା ସହିତ ତାପମାତ୍ରା ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରାଯାଇଛି ।