ମୟୁରଭଞ୍ଜ: ପଦାରେ ପଡିଲା ରସିକିଆ ହିନ୍ଦୀ ଶିକ୍ଷକଙ୍କ କଳା କାରନାମା l ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରୀ ମାନଙ୍କୁ ଆଶାଳୀନ ବ୍ୟବହାରର ଶିକାର କରୁଥିଲେ ରସିକିଆ ହିନ୍ଦୀ ଶିକ୍ଷକ ବୋଲି ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲା l ହିନ୍ଦୀ ଶିକ୍ଷକଙ୍କ ଆଶାଳୀନ ବ୍ୟବହାରରେ ଅତିଷ୍ଠ ହୋଇ ଅଭିଯୋଗ କରିଥିଲେ ଛାତ୍ରୀମାନେ l ଆଉ ଖବରପାଇ ଅଭିଭାବକ ମାନେ ବିଦ୍ୟାଳୟରେ ପହଞ୍ଚିବା ସହିତ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା l ଏହି ଉତ୍ତେଜନା ଭିତରେ ଲୋକଙ୍କ ଠାରୁ ବୋହେ ଛେଚା ଖାଇଥିଲେ ରସିକିଆ ହିନ୍ଦୀ ଶିକ୍ଷକ l
ଏଭଳି ଏକ ଅପ୍ରତ୍ୟାଶିତ ଏବଂ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅଧୀନ ଝାଟିଅଡା ପଞ୍ଚାୟତର ଏକ ବିଦ୍ୟାଳୟରୁ l ଏଠାରେ ହିନ୍ଦୀ ପଢ଼ାଉ ଥିବା ଶିକ୍ଷକ ଛାତ୍ରୀ ମାନଙ୍କୁ ଆଶାଳୀନ ବ୍ୟବହାର କରିଥିବାର ସାଙ୍ଘାତିକ ଅଭିଯୋଗ ହୋଇଛି l ଯାହାର ଏକ ଭିଡିଓ ଗଣମାଧ୍ୟମରେ ବେଶ ଭାଇରାଲ ହେଉଛି। ଶିକ୍ଷକ ଜଣଙ୍କୁ ଉତ୍ତ୍ୟକ୍ତ ଗ୍ରାମବାସୀ ମାନେ ଉତ୍ତମ ମଧ୍ୟମ ଦେଇଛନ୍ତି। ଅଭିଯୋଗ ମୁତାବକ ସ୍ଥାନୀୟ ଶ୍ରୀମା ଶିକ୍ଷା ସଦନ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୁକୁଦେବ ହାଁସଦା ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ବେଳେ ସୁବାସ ଚାନ୍ଦ ଛଅବର୍ଷ ଧରି ହିନ୍ଦୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ହିନ୍ଦୀ ଶିକ୍ଷକ ଚାନ୍ଦ ଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାର ଲାଳସା ଦେଖାଇ ଖରାପ ବ୍ୟବହାର କରିବା ସହିତ ଅସଦାଚରଣ ବ୍ୟବହାର ଦେଖାନ୍ତି। ଏନେଇ ଗତ ଜାନୁୟାରୀ ୩୦ ତାରିଖ ଦିନ ବିଦ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଏହାପରେ ମଧ୍ୟ ଶିକ୍ଷକ ଚାନ୍ଦଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ନହେବାରୁ ଫେବୃଆରୀ ୨ ତାରିଖ ଦିନ ପୁଣି ବିଦ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଶିକ୍ଷକ ଚାନ୍ଦଙ୍କ ଛାତ୍ରୀ ମାନଙ୍କ ପ୍ରତି ବ୍ୟବହାର ଅତ୍ୟନ୍ତ ଖରାପ ହୋଇଥିଲା। ଯାହାକୁନେଇ ଆଜି ସ୍ଥାନୀୟ ଗ୍ରାମବାସୀ ମାନେ ଉତ୍ତ୍ୟକ୍ତ ହୋଇ ଶିକ୍ଷକ ଚାନ୍ଦଙ୍କୁ ଘେରିବା ସହିତ ମାଡ଼ ମଧ୍ୟ ମାରିଛନ୍ତି ବୋଲି ଆଲୋଚନା ହେଉଛି।
ଘଟଣା ସମ୍ପର୍କରେ ଖବରପାଇ ରାସଗୋବିନ୍ଦପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ରସିକିଆ ହିନ୍ଦୀ ଶିକ୍ଷକ ଚାନ୍ଦଙ୍କୁ ଉଦ୍ଧାର କରିଥିଲା। ତେବେ ବିଇଓ ବିଜୟ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଧେଶକ୍ରମେ ଏବିଇଓ ସୁକୁମାର ରାଉତ ବିଦ୍ୟାଳୟରେ ପହଞ୍ଚି ଘଟଣା ବାବଦରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଛନ୍ତି। ଏବାବଦରେ ବିଇଓ ପାଣିଗ୍ରାହୀଙ୍କୁ ପଚାରିବାରୁ ତଦନ୍ତ ରିପୋର୍ଟ ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିବେ ଏବଂ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।