ନୂଆଦିଲ୍ଲୀ: ଭାରତୀୟ ଶେୟାର ବଜାର ଶୁକ୍ରବାର ବହୁତ ଖରାପ ସ୍ଥିତିରେ ପହଞ୍ଚିଛି । ଯାହାକୁ ନେଇ ସାରା ବିଶ୍ୱରେ ଚହଳ ପଡ଼ିଛି । ଆଜି (ଶୁକ୍ରବାର) ଦେଶରେ ସେନସେକ୍ସ ଓ ନିପ୍ଟିର ପଏଣ୍ଟ ବହୁତ ତଳକୁ ଖସିଛି । ସକାଳେ ମାର୍କେଟ ଖୋଲୁ ଖୋଲୁ ଏପରି ପରିସ୍ଥିତି ଦେଖିବାକୁ ମିଳିଥିଲା। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ସେନସେକ୍ସ ୧.୯୦ ପ୍ରତିଶତ ବା ୧୪୧୪ ପଏଣ୍ଟ ହ୍ରାସ ପାଇ ୭୩,୧୯୮ରେ ବନ୍ଦ ହୋଇଛି। ବଜାର ବନ୍ଦ ସମୟରେ ସେନସେକ୍ସରେ ଥିବା ୩୦ଟି ଷ୍ଟକ ମଧ୍ୟରୁ ୨୯ଟି ଲାଲ ରଙ୍ଗରେ ଥିଲା, ଅର୍ଥାତ ହ୍ରାସ ପାଇଥିଲା। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୧.୮୭ ପ୍ରତିଶତ ବା ୪୨୨ ପଏଣ୍ଟ ହ୍ରାସ ପାଇ ୨୨,୧୨୨ରେ ବନ୍ଦ ହୋଇଛି। ବଜାର ବନ୍ଦ ବେଳକୁ ନିଫ୍ଟିର ୫୦ଟି ଷ୍ଟକ ମଧ୍ୟରୁ ୫ଟି ସବୁଜ ରଙ୍ଗରେ ବୃଦ୍ଧି ହୋଇ କାରବାର କରୁଥିବା ବେଳେ ୪୫ଟି ଷ୍ଟକ ଲାଲ ରଙ୍ଗରେ ହ୍ରାସ କାରବାର କରୁଥିଲା। ଦେଶରେ ଗତ ୨୮ ବର୍ଷରେ ଏହା ସବୁଠୁ ବଡ଼ ହ୍ରାସ ବୋଲି କୁହାଯାଉଛି ।
ଶୁକ୍ରବାର ବ୍ୟବସାୟର ପ୍ରଥମ ୪୫ ମିନିଟ୍ ମଧ୍ୟରେ, ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (BSE)ରେ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ସାମଗ୍ରିକ ବଜାର ପୁଞ୍ଜି ବହୁ ପରିମାଣରେ ହ୍ରାସ ପାଇଛି। ଏହା ଫଳରେ ବ୍ୟବସାୟର ପ୍ରଥମ ୪୫ ମିନିଟ୍ ମଧ୍ୟରେ ନିବେଶକମାନେ ୬ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ମାର୍କେଟରୁ ବିଦେଶୀ ନିବେଶକାରୀମାନେ ପୁଞ୍ଜି ପ୍ରତ୍ୟାହାର କରି ନେଉଥିବାରୁ ମାର୍କେଟ କ୍ରାସ୍ କରିଥିବା କୁହାଯାଉଛି। ଏହା ସହିତ ଅର୍ଥନୈତିକ ମାନ୍ଦାବସ୍ଥା ମଧ୍ୟ ଏହି ହ୍ରାସର କାରଣ ବୋଲି କୁହାଯାଉଛି।
ଶେୟାର ବଜାରର ସ୍ଥିତିକୁ ଦେଖିଲେ କେବଳ ଫେବୃଆରୀ ମାସରେ ପ୍ରାୟ ୪୧ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି। ଜାନୁଆରୀ ୩୧ ତାରିଖରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ବଜାର ପୁଞ୍ଜି ୪,୨୪,୦୨,୦୯୧.୫୪ ଲକ୍ଷ କୋଟି ଟଙ୍କା ଥିଲା। ଫେବୃଆରୀ ମାସ ୨୮ ତାରିଖ ବେଳକୁ ୪୦,୮୦,୬୮୨.୦୨ କୋଟି ଟଙ୍କାର କ୍ଷତି ହୋଇଛି।