ଜୟପୁର, ଜାନୁଆରୀ ୦୨ (ଖବର ଓଡ଼ିଶା): କରୋନା ଭାଇରସ୍ ସଂକ୍ରମଣ କାଳରେ ରାଜସ୍ଥାନରେ ମଦବନ୍ୟା ହୋଇଛି। କୋଭିଡ-୧୯କୁ ନ ଡରି ଏଠାକାର ଲୋକେ ଗତବର୍ଷ ଡିସେମ୍ବର ୩୧ ତାରିଖ ରାତିରେ ୭୭.୮୨ କୋଟି ଟଙ୍କାର ମଦ ପିଇଛନ୍ତି। ଦିଲ୍ଲୀ, ଏନସିଆର ଓ ଉତ୍ତରପ୍ରଦେଶରେ କଟକଣା କାରଣରୁ ପର୍ଯ୍ୟଟକମାନେ ରାଜସ୍ଥାନ ପହଞ୍ଚିଥିଲେ। ଡିସେମ୍ବର ୩୧ ତାରିଖରେ ୧୨.୬୯ କୋଟି ବିୟର, ୬୫.୧୩ କୋଟି ଆଇଏମ୍ଏଫ୍ଏଲ୍ ବିକ୍ରି ହୋଇଛି। କରୋନା କାରଣରୁ ରାଜସ୍ବ କ୍ଷତି ସହୁଥିବା ଅବକାରୀ ବିଭାଗର ବଡ଼ ଲାଭ ହୋଇଛି।
ନୂଆବର୍ଷ ପାଇଁ ପହଞ୍ଚିଥିବା ପର୍ଯ୍ୟଟକଙ୍କ ଭିତରେ ସାମିଲ ଦିଲ୍ଲୀର ଜଣେ ଝିଅ ଭରତପୁରରେ ଏଭଳି କାଣ୍ଡ କରିଥିଲେ, ଯାହା ଫଳରେ ପୋଲିସକୁ ଡାକିବାକୁ ପଡ଼ିଥିଲା। ଦିଲ୍ଲୀର ଝିଅ ଜଣକ ମଦ୍ୟପାନ କରି ରାଜରାସ୍ତାରେ ହଙ୍ଗାମା କରିଥିଲା। ସାଙ୍ଗସାଥୀ ଓ ଗାଁ ଲୋକେ ଯେତେ ବୁଝାଇଲେ ବି ସେ କାହାରି କଥାକୁ ଶୁଣୁ ନଥିଲେ। ଶେଷରେ ତାଙ୍କୁ ଶାନ୍ତି କରିବା ପାଇଁ ପୋଲିସକୁ ଡାକିବାକୁ ପଡ଼ିଥିଲା।