ସାଉଦି ଆରବର କ୍ଲବ୍‌ ‘ଅଲ୍‌ ହିଲାଲ୍‌’: ଆର୍ଜେଣ୍ଟିନା ତାରକା ଲିଓନେଲ ମେସିଙ୍କୁ ପ୍ରସ୍ତାବ ଦେଲା ୪୦୦ ମିଲିଅନ୍‌ ଡଲାର
Khabar Odisha:Lionel-Messi-receives-400-million-offer-to-join-Saudi-club-Al-Hilal
ଭୁବନେଶ୍ୱର: 07/05/2023:

ସାଉଦି ଆରବର କ୍ଲବ୍‌ ‘ଅଲ୍‌ ହିଲାଲ୍‌’ ଆର୍ଜେଣ୍ଟିନା ତାରକା ଲିଓନେଲ ମେସିଙ୍କ ସହ ଚୁକ୍ତି କରିବାକୁ ଆଗ୍ରହ ଦେଖାଇଛି । ଆସନ୍ତା ଋତୁ ପାଇଁ ତାଙ୍କୁ ଏହି କ୍ଲବ୍‌ ପକ୍ଷରୁ ଔପଚାରିକ ପ୍ରସ୍ତାବ ଦିଆଯାଇଥିବା ନେଇ ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ଅଲ୍‌ ହିଲାଲ୍‌ ପକ୍ଷରୁ ମେସିଙ୍କୁ ବର୍ଷକୁ ପ୍ରାୟ ୪୦୦ ମିଲିଅନ୍‌ ଡଲାର ପ୍ରାପ୍ୟ ଦେବା ପାଇଁ ପ୍ରସ୍ତାବ ଦିଆଯାଇଛି। ଅନ୍ୟପଟେ ମେସି ତାଙ୍କ ପୂର୍ବ କ୍ଲବ୍‌ ବାର୍ସିଲୋନାକୁ ଫେରିବା ପାଇଁ ଯୋଗାଯୋଗରେ ଥିବା ନେଇ ସୂଚନା ମିଳିଛି | ସୂଚନା ମୁତାବକ ମେସିଙ୍କ ବର୍ତ୍ତମାନର କ୍ଲବ୍‌ ପ୍ୟାରିସ୍‌ ସେଣ୍ଟ ଜର୍ମେନ୍‌ (ପିଏସ୍‌ଜି) ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି। ତେବେ ବିନା ଅନୁମତିରେ ମେସି ତାଙ୍କ ପରିବାର ସହ ସାଉଦି ଆରବ ଗସ୍ତ କରିଥିବାରୁ ପିଏସ୍‌ଜି ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଛି। କିନ୍ତୁ ମେସି ସାଉଦି ଆରବ ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ ହୋଇଥିବାରୁ ସରକାରୀ ନିମନ୍ତ୍ରଣରେ ଏହି ଦେଶକୁ ଭ୍ରମଣରେ ଯାଇଥିବା ଅନୁମାନ କରାଯାଉଛି। ତେବେ ଏହି ସମୟରେ ସେ ଅଲ୍‌ ହିଲାଲ୍‌ ପ୍ରତିନିଧିଙ୍କ ସଂସ୍ପର୍ଶରେ ଆସିଥାଇପାରନ୍ତି ବୋଲି କୁହାଯାଉଛି। ଅନ୍ୟ‌ପଟେ ମେସିଙ୍କ ସହିତ ପିଏସ୍‌ଜି ତା’ର ଚୁକ୍ତିକୁ ତୃତୀୟ ଋତୁ ପାଇଁ ବଢାଇବାକୁ ଆଗ୍ରହ ଦେଖାଇଛି। ହେଲେ ନିଲମ୍ବନ ପରଠୁ ମେସି ପ୍ୟାରିସ୍‌ ଛାଡ଼ିଦେଇଥିବାରୁ ସେ ଏହି କ୍ଲବ୍‌କୁ ଫେରିବା ସମ୍ଭାବନା କ୍ଷୀଣ ରହିଛି। ପୂର୍ବରୁ ସାଉଦି ଆରବ କ୍ଲବ୍‌ ଅଲ୍‌ ନାସେର ସହିତ ପର୍ତୁଗାଲ୍‌ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ ଯୋଡ଼ିହୋଇଛନ୍ତି। ତାଙ୍କୁ ୨୨୦ ମିଲିଅନ୍‌ ଡଲାରରେ ଏହି କ୍ଲବ୍‌ ଚୁକ୍ତି କରିଛି। ଯଦି ମେସିଙ୍କ ସହିତ ଅଲ୍‌ ହିଲାଲ୍‌ ଚୁକ୍ତି କରିବାରେ ସଫଳ ହୁଏ, ତେବେ ମେସି ସର୍ବାଧିକ ଆୟକାରୀ କ୍ରୀଡ଼ାବିତ୍‌ ମଧ୍ୟ ହୋଇପାରନ୍ତି ବୋଲି କୁହାଯାଉଛି ।

Subscribe

National International State Sports Entertainment