ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)କୁ ବୋମା ଧମକ ମିଳିଛି। ଗୁରୁବାର ଅପରାହ୍ନରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଅଫିସିଆଲ ୱେବସାଇଟରେ ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିଥିଲା। ଏହି ଇମେଲ୍ ରୁଷୀୟ ଭାଷାରେ ପଠାଯାଇ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଉଡ଼ାଇ ଦେବାକୁ ଚେତାବନୀ ଦିଆଯାଇଥିଲା। ରିଜର୍ଭ ବ୍ୟାଙ୍କ ଉପରେ ବୋମାମାଡ଼ ଧମକ ନେଇ ମାତା ରମାବାଇ ମାର୍ଗ (ଏମଆରଏ ମାର୍ଗ) ଥାନାରେ ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।
ସୂଚନାଯୋଗ୍ୟ, ଗତ ମାସରେ ମଧ୍ୟ ଆରବିଆଇକୁ ବୋମାମାଡ଼ ଧମକ ମିଳିଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କର କଷ୍ଟମର କେୟାର ନମ୍ବରରେ ଏକ କଲ୍ ଆସିବା ପରେ ସେ ନିଜକୁ ଲସ୍କର-ଇ-ତୋଇବାର ସିଇଓ ବୋଲି ପରିଚୟ ଦେଇଥିଲା। ଏହାସହ ସେଣ୍ଟ୍ରାଲ ବ୍ୟାଙ୍କକୁ ଉଡ଼ାଇ ଦେବାକୁ ଧମକ ଦେଇଥିଲା।
ଗତ କିଛି ଦିନ ହେବ ଦେଶରେ ବିମାନ ଓ ସ୍କୁଲଉପରେ ବୋମା ମାଡ଼ ପାଇଁ ଅନେକ ଧମକପୂର୍ଣ୍ଣ କଲ୍ ଓ ମେଲ୍ ଆସିଛି। ଦିଲ୍ଲୀର ୩ଟି ସ୍କୁଲକୁ ବୋମା ଧମକପୂର୍ଣ୍ଣ ମେଲ୍ ମିଳିବା ପରେ ବିଭିନ୍ନ ଏଜେନ୍ସି ସେଠାରେ ଚଢ଼ାଉ ଆରମ୍ଭ କରିଛନ୍ତି। ପିଲାଙ୍କୁ ସ୍କୁଲ ନ ପଠାଇବା ପାଇଁ ସ୍କୁଲ ପ୍ରଶାସନ ଅଭିଭାବକଙ୍କୁ ଏକ ବାର୍ତ୍ତା ପଠାଇଥିଲା। ଏହା ପୂର୍ବରୁ ୨୦୨୪ ଡିସେମ୍ବର ୯ରେ ଦିଲ୍ଲୀର ୪୪ଟି ସ୍କୁଲକୁ ଏଭଳି ଇମେଲ୍ ଆସିଥିଲା। ତଦନ୍ତ ପରେ ପୁଲିସ ଏହି ଧମକକୁ ଗୁଜବ ବୋଲି ବର୍ଣ୍ଣନା କରିଥିଲା।
ଅଧିକ ପଢ଼ନ୍ତୁ: ଦିଲ୍ଲୀର ଅନେକ ସ୍କୁଲକୁ ବୋମାମାଡ଼ ଧମକ