ପବିତ୍ର ରାମ ନବମୀ ଓ ରାମରାଜ୍ୟ
Khabar Odisha:art-and-culture-ram-navami-and-ramarajya
ଭୁବନେଶ୍ୱର, ଏପ୍ରିଲ ୧୩ (ଖବର ଓଡିଶା):

ମର୍ଯ୍ୟାଦା ପୁରୁଷୋତମ ପ୍ରଭୁ ଶ୍ରୀରାମଙ୍କ ପ୍ରାକଟ୍ୟ ଦିବସ ରାମ ନବମୀରେ ରାମରାଜ୍ୟ ବିଷୟରେ ଆଲୋଚନା କରିବା ସମୀଚିନ ହେବ ।

ଶୁକ୍ରାଚାର୍ଯ୍ୟ ତାଙ୍କର ନୀତିସାରରେ ଉଲ୍ଲେଖ କରିଛନ୍ତି ଶ୍ରୀରାମଙ୍କ ଭଳି ନୀତିବାନ ରାଜା ଏହି  ପୃଥିବୀରେ କେହି ଜନ୍ମ ହୋଇ ନାହାନ୍ତି ନା ଆଉ କେହେ ଜନ୍ମ ହେବାର ସମ୍ଭାବନା ରହିଛି ।

 ସେ କହିଛନ୍ତି ଯେ  ‘ନ  ରାମଦୃଶୋ ରାଜା ପୃଥିବ୍ୟାଂ ନୀତିମାନଭୁତ୍ ’ (ଶୁକ୍ର ୫/୫୭)

 ରାମ ରାଜ୍ୟର  ବର୍ଣନା କରି ଗୋସ୍ୱାମୀ ତୁଳସୀଦାସ ଉତରକାଣ୍ଡରେ ଲେଖିଛନ୍ତି

“ରାମରାଜ ବୈଠେ ତ୍ରିଲୋକା । ହରଷିତ ଭୟ ଗୟେ ସବ ସୋକା ।

ବୟରୁ ନ କର କାହୁ ସନ କୋଇ । ରାମ ପ୍ରତାପ ବିଷମତା ଖୋଇ । ”

ଅର୍ଥାତ ଶ୍ରୀରାମ ଅଯୋଧ୍ୟାରେ ନିଜ ରାଜ୍ୟରେ ରାଜା ଭାବେ ଅଭିଷିକ୍ତ ହେବା ପରେ ତିନି ଲୋକ ହର୍ଷିତ ହୋଇଗଲେ  ଓ ସେମାନଙ୍କର ସମସ୍ତ ଶୋକ ଦୂର ହୋଇ ଗଲା । ଏବେ କେହି କାହା ସହିତ ଶତ୍ରୁତା କରେ ନାହିଁ । ଶ୍ରୀରାମଙ୍କର ପ୍ରତାପରେ ସମସ୍ତଙ୍କର ବିଷମତା (ଭେଦଭାବ) ଶେଷ ହୋଇ ଗଲ।। 

ଗୋସ୍ୱାମୀ ତୁଳସୀ ଦାସ ଆହୁରି କହନ୍ତି –

“ବରନାଶ୍ରମ ନିଜ- ନିଜ ଧରମ ନିରତ ବେଦ ପଥ ଲୋକ ।

ଚଲହିଁ ସଦା ପାବହି ସୁଖହି ନହି ଭୟ ଶୋକ ନ ରୋଗ । ”

ଅର୍ଥାତ ରାମରାଜ୍ୟରେ ସମସ୍ତେ ନିଜ ନିଜର  ବର୍ଣ ଏବଂ ଆଶ୍ରମ ଅନୁକୂଳ ଧର୍ମରେ ତତ୍ପର ହୋଇ ସର୍ବଦା ବେଦ ମାର୍ଗରେ ଚାଲନ୍ତି ଓ ସୁଖ ପାଆନ୍ତି । ତାଙ୍କୁ ଏବେ କୌଣସି କଥାର ଭୟ ନାହିଁ, ଶୋକ ନାହିଁ ବା କୌଣସି ରୋଗ ନାହିଁ ।

ଗୋସ୍ୱାମୀ ତୁଳସୀଦାସ  ଆହୁରି କହନ୍ତି ଯେ 

“ଦୈହିକ ଦୈବିକ ଭୌତିକ ତାପା । ରାମ ରାଜ ନହି କାହୁ ହି ବ୍ୟାପା ।

ସବ ନର କରହି ପରସ୍ପର ପ୍ରୀତି । ଚଲହି ସ୍ୱଧର୍ମ ନିରତ କ୍ଷୁତି ନୀତି । ”

ଅର୍ଥାତ ରାମରାଜ୍ୟରେ ଦୈହିକ, ଦୈବିକ ଓ ଭୌତିକ ତାପ କାହାକୁ ବ୍ୟାପେ ନାହିଁ ।  ସମସ୍ତ ମନୁଷ୍ୟ ପରସ୍ପରକୁ ପ୍ରେମ କରନ୍ତି ଓ ବେଦରେ କୁହା ଯାଇଥିବା ନୀତି (ମର୍ଯ୍ୟାଦା)ରେ ତତ୍ପର ରହି ନିଜ ନିଜ ଧର୍ମ ପାଳନ କରନ୍ତି ।

ରାମ ରାଜ୍ୟରେ ଧର୍ମ ନିଜର ଚାରୋଟି ପର୍ଯ୍ୟାୟ ( ସତ୍ୟ, ଶୌଚ, ଦୟା, ଦାନ )ରେ ଜଗତ ପରିପୂର୍ଣ । ସ୍ୱପ୍ନରେ ମଧ୍ୟ କେଉଁଠି ହେଲେ ପାପ ନାହିାଁ  ପୁରୁଷ ଓ ସ୍ତ୍ରୀ ସମସ୍ତେ  ରାମ ଭକ୍ତି ପରାୟଣ ଅଟନ୍ତି  ଓ ସମସ୍ତେ ପରମଗତି (ମୋକ୍ଷ)ର  ଅଧିକାରୀ ଅଟନ୍ତି ।  ଛୋଟ ବୟସରେ କାହାର ମୃତ୍ୟୁ ହୁଏ ନାହିଁ , କାହାକୁ କଷ୍ଟ ହୁଏ ନାହିଁ । ନ କେହି ଦରିଦ୍ର ଅଛନ୍ତି ନ କେହି ଦୁଃଖୀ, ନା କେହି ଦୀନ, ନା କେହି ମୁର୍ଖ ଅଛନ୍ତି ।  ରାମରାଜ୍ୟରେ ସମସ୍ତେ ଦମ୍ଭ ମୁକ୍ତ, ସମସ୍ତେ ଧର୍ମ ପରାୟଣ ଓ ସମସ୍ତେ ପୁଣ୍ୟାତ୍ମା ଅଛନ୍ତି । ପୁରୁଷ ଓ ସ୍ତ୍ରୀ  ସମସ୍ତେ ଚତୁର ଓ ଗୁଣବାନ ଅଛନ୍ତି । ସବୁ ଗୁଣକୁ ଆଦର କରିଥାନ୍ତି । ସମସ୍ତେ କୃତଜ୍ଞ ଅଛନ୍ତି ଓ କପଟତା କାହା ମଧ୍ୟରେ ନାହିଁ ।

ରାମରାଜ୍ୟରେ ଦଣ୍ଡ କେବଳ ସନ୍ୟାସୀଙ୍କ ହାତରେ ଅଛି । କେହି ଶତ୍ରୁ ନାହାନ୍ତି । କେହି ଅପରାଧ କରନ୍ତି ନାହିଁ, ତେଣୁ କାହାକୁ ଦଣ୍ଡ ଦିଆ ଯିବାର ଆବଶ୍ୟକତା ନାହିଁ । ଦଣ୍ଡ ଶବ୍ଦ କେବଳ ସନ୍ୟାସୀ ମାନଙ୍କର ହାତରେ ରହୁଥିବା ଦଣ୍ଡ ପାଇଁ ରହି ଯାଇଛି ।

  • Tags:

Subscribe

National International State Sports Entertainment