ଆଜି ହେଉଛି ପବିତ୍ର ଧନୁ ସଂକ୍ରାନ୍ତି | ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ । ଏଥିପାଇଁ ଶ୍ରୀମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଥିବା ବେଳେ ଏହି ନୀତି ଦୀର୍ଘ ଏକ ମାସ ଧରି ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ | ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ ଅନୁଯାୟୀ ଆଜି ରାତ୍ର 2ଟାରୁ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା | ତାପରେ 5.20 ରୁ 6.30 ମଧ୍ୟରେ ଶ୍ରୀମନ୍ଦିରରେ ପହିଲି ଭୋଗ ଲାଗି ହୋଇଛି |
ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ଦ୍ୱାପର ଯୁଗରେ ମା ଯଶୋଦା ପହିଲି ଭୋଗ କୃଷ୍ଣ ଓ ବଳରାମଙ୍କୁ ଖୁଆଇଥିଲେ । ସେହିଦିନ ଠାରୁ ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୁଏ ପହିଲି ଭୋଗ ।ସେବାୟତଙ୍କ ଠାରୁ ଆରମ୍ଭ କରି ଭକ୍ତ ସମସ୍ତେ ଅପେକ୍ଷା କରିଥାନ୍ତି ପହିଲି ଭୋଗ ଖାଇବା ପାଇଁ । ଏହାର ଅନ୍ୟଏକ ଲୋକକଥା ମଧ୍ୟ ଶୁଣିବାକୁ ମିଳିଥାଏ | ଏହି ମାସରୁ ପୁରା ଏକ ମାସ ପର୍ଯ୍ୟନ୍ତ ମା ମହାଲକ୍ଷ୍ମୀ ବାପ ଘରକୁ ଯିବାର ଵିଧି ପରମ୍ପରା ଥିବାରୁ ମାସକ ପର୍ଯ୍ୟନ୍ତ ମାତା ଯଶୋଦା ପହିଲି ଭୋଗରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସକାଳୁ ସକାଳୁ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିଛନ୍ତି | ପହିଲି ଭୋଗରେ ମହାପ୍ରଭୁଙ୍କ ପାଇଁ ବିଭିନ୍ନ ବ୍ୟଞ୍ଜନ ତଥା ବଡ ଝିଲି, ଦରସୁଆ ବଡ଼ି, ଦରସୁଆ ଝିଲି, ବଡ଼ବଡା, କାକେରା, ଅମାଲୁ, ନଳୀ, ଏଣ୍ଡୁରି, ମୁଗେଇ, ଚଢ଼େଇ ନଦା , ଲଡ଼ୁ, ଗଜା, ଗଇଁଠା, ମଣ୍ଡା ଓ ଖଇର ଚୁଳ ଭଳି ବିଭିନ୍ନ ପ୍ରକାର ବ୍ୟଞ୍ଜନ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରି ଲାଗି କରାଯାଏ |