ଲର୍ଡ୍ସ ଟେଷ୍ଟ: ବର୍ଷାରେ ଧୋଇଲା ପ୍ରଥମ ଦିନର ଖେଳ, ପଡି ପାରିନାହିଁ ଟସ୍
Khabar Odisha:lords-test-england-vs-india-day-one-match
ଲଣ୍ଡନ, ଅଗଷ୍ଟ୦୯(ଖବର ଓଡ଼ିଶା):

କ୍ରମାଗତ ବର୍ଷା କାରଣରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ ଟେଷ୍ଟର ପ୍ରଥମ ଦିନ ବର୍ଷାରେ ଧୋଇ ଯାଇଛି। ଲର୍ଡ୍ସ ପଡିଆରେ ପ୍ରଥମ ଦିନ ବଲ ପଡିବା ତ ଦୂରର କଥା ଟସ୍ ମଧ୍ୟ ପଡ଼ିପାରି ନାହିଁ। ଖେଳାଳିଙ୍କୁ ବାଧ୍ୟ ହୋଇ ଡ୍ରେସିଂ ରୁମରେ ସମୟ କାଟିବାକୁ ପଡିଛି। କିଛି ଖେଳାଳି ଇଣ୍ଡୋରରେ ନେଟ୍ସ ଅଭ୍ୟାସ କରିଛନ୍ତି।

ଲଣ୍ଡନରେ ବୁଧବାର ରାତିଠୁ ହେଉଥିବା ବର୍ଷା କାରଣରୁ ଖେଳାଳି ଗୁରୁବାର ସକାଳୁ ଓ୍ଵାର୍ମଅପ ପାଇଁ ମଧ୍ୟ ପଡିଆକୁ ଓହ୍ଲାଇ ନାହାନ୍ତି। ମ୍ୟାଚ୍ ଅଧିକାରୀ ନିର୍ଦ୍ଧାରିତ ସମୟର ଅଧା ଘଣ୍ଟା ପୂର୍ବରୁ ହିଁ ଲଞ୍ଚ ବ୍ରେକ ନେବାର ନିଷ୍ପତ୍ତି ନେଇଥିଲେ। ମଧ୍ୟାହ୍ନ ଭୋଜନ ବିରତି ପରେ ମଧ୍ୟ କ୍ରମାଗତ ବର୍ଷା ଜାରି ରହିଥିଲା, ଯେଉଁଥି ପାଇଁ ଖେଳ ଆରମ୍ଭ ହୋଇ ପାରିନଥିଲା। 

ବିରାଟ କୋହଲି, ଦିନେଶ କାର୍ତ୍ତିକ, ଶାର୍ଦ୍ଦୁଳ ଠାକୁର, ଯଶପ୍ରୀତ ବୁମରା, ଆଲିଷ୍ଟର କୁକ ଓ କିଟୋନ ଜେନିଙ୍ଗ୍ସଙ୍କ ସହିତ କିଛି ଖେଳାଳି ଇଣ୍ଡୋର ନେଟ୍ସରେ ସମୟ ବିତାଇଥିଲେ। ଅନ୍ୟ ପଟେ ଲର୍ଡ୍ସରେ  ଡ୍ରେନେଜ ବ୍ୟବସ୍ଥା ବହୁତ ଭଲ ଏବଂ ଆଶା କରାଯାଉଥିଲା ଯେ ପାଣିପାଗରେ ସୁଧାର ପରେ ଶୀଘ୍ର ଖେଳ ଆରମ୍ଭ ହୋଇପାରେ, ମାତ୍ର ବର୍ଷା ଏହି ସମ୍ଭାବନା ଉପରେ ପାଣି ପକାଇଥିଲା। 

ଚା ପାନ ବିରତି ପରେ ପାଣିପାଗରେ କିଛିଟା ପରିବର୍ତ୍ତନ ହୋଇଥିଲା ଏବଂ ଅଳ୍ପ ବର୍ଷା ହୋଇଥିଲା। ଏହି ସମୟରେ ଅମ୍ପାୟାର ବାହାରକୁ ଆସି ପଡିଆକର୍ମଚାରୀ ସହିତ ଆଲୋଚନା କରିଥିଲେ। ଏହି ସମୟରେ କର୍ମଚାରୀ କଭର ଉପରୁ ପାଣି ହଟାଉଥିଲେ। ଏହି ସପ୍ତାହରେ ଏବଂ ସୋମବାର ମଧ୍ୟ ବର୍ଷା ହେବାର ଭବିଷ୍ୟତବାଣୀ କରାଯାଇଛି। ଯେଉଁ କାରଣ ପାଇଁ ମ୍ୟାଚ୍ ସମୟରେ ବର୍ଷା କାରଣରୁ ନିୟମିତ ବ୍ରେକ ଦେଖିବାକୁ ମିଳିପାରେ। 

ଇଂଲଣ୍ଡ ବୁଧବାର ନିଜର ୧୨ ସଦସ୍ୟ ଦଳର ଘୋଷଣା କରିଥିଲା ଏବଂ ୨୦ ବର୍ଷୀୟ ଓଲିଭର ପୋପଙ୍କୁ ଟେଷ୍ଟରେ ପଦାର୍ପଣର ସୁଯୋଗ ଦେଇଥିଲା। ଭାରତୀୟ ଅଧିନାୟକ ବିରାଟ କୋହଲି ମ୍ୟାଚର ପୂର୍ବ ସଂଧ୍ୟାରେ କହିଥିଲେ ଯେ ସେ ଦ୍ଵିତୀୟ ସ୍ପିନରଙ୍କୁ ଖେଳାଇ ପାରନ୍ତି। ମାତ୍ର ବର୍ତ୍ତମାନର ଅବସ୍ଥା ଓ ପାଣିପାଗର ଭବିଷ୍ୟତବାଣୀକୁ ଦେଖି ବିଚାର ପରିବର୍ତ୍ତନ ମଧ୍ୟ ହୋଇପାରେ। 

ଏଠାରେ କହି ରଖୁଛୁ ଯେ ଇଂଲଣ୍ଡ ବର୍ମିଂହାମ ଟେଷ୍ଟ ଜିତି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଏବେ ସିରିଜରେ ୧-୦ରେ ଅଗ୍ରଣୀ ରହିଛି। 

  • Tags:

Subscribe

National International State Sports Entertainment