ସନ୍ଧ୍ୟା ପର୍ଯ୍ୟନ୍ତ ତାଣ୍ଡବ କରିବ ତିତ୍‌ଲି, ରାଜ୍ୟରେ ବନ୍ୟା ସ୍ଥିତି, ଉଦ୍ଧାର କାର୍ଯ୍ୟ ଜାରି: ଏସ୍‌ଆର୍‌ସି
Khabar Odisha:titli-will-leave-odisha-at-evening
ଭୁବନେଶ୍ୱର, ଅକ୍ଟୋବର ୧୨(ଖବର ଓଡ଼ିଶା):

ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ସାମୁଦ୍ରିକ ଝଡ଼ ତିତ୍‌ଲି ତା’ର ପ୍ରଭାବ ଦେଖାଇବ । ତେଣୁ ସନ୍ଧ୍ୟା ଯାଏଁ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ୧୫ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରଳବ ବର୍ଷା ଜାରି ରହିବ । ସେହିସବୁ ଜିଲ୍ଲାଗୁଡ଼ିକୁ ରେଡ୍‌ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଲଗାଣ ବର୍ଷା ଯୋଗୁଁ ଋଷିକୂଲ୍ୟା, ମହେନ୍ଦ୍ରତନୟା, ବଂଶଧରା, ବଡ଼ନଦୀ ଓ ବାହୁଦା ନଦୀରେ ଜଳସ୍ତର ବୃଦ୍ଧି ପାଇଥିବାବେଳେ ଗଂଜାମ, ଗଜପତି ଓ ରାୟଗଡ଼ାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସମସ୍ତ ସ୍ଥାନରେ ଲୋକଙ୍କୁ ଉଦ୍ଧାର କରିବାକୁ ପ୍ରଶାସନ ବ୍ୟବସ୍ଥା କରିଥିବାବେଳେ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀ ସଜାଗ ରହିଛନ୍ତି । ସେପଟେ ଜି.ଉଦୟଗିରି ଓ କଣ୍ଟପଡ଼ାରେ ବ୍ଲକରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

ଏସ୍‌ଆର୍‌ସିଙ୍କ ସୂଚନା ଅନୁଯାୟୀ, ଗଂଜାମରେ ଋଷିକୂଲ୍ୟା, ଗଜପତିର ମହେନ୍ଦ୍ରତନୟା ଓ ରାୟଗଡ଼ାର କାଶୀନଗର ନିକଟରେ ବଂଶଧରାରେ ସମେତ ବଡ଼ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ଯାହାକି ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଗଂଜାମ ନୂଆଗାଁ, ଭଂଜନଗର, ଆସ୍କାରେ ବଡ଼ ନଦୀଗୁଡ଼ିକରେ ବିପଦ ସଙ୍କେତ ଉପରେ ନଦୀ ଜଳ ରହିଛି । କବିସୂର୍ଯ୍ୟନଗରରେ ବାହୁଦା ନଦୀରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି । ଲୋକଙ୍କୁ ଉଦ୍ଧାର କରିବାକୁ ୧୪ଟି ଏନ୍‌ଡିଆର୍‌ଏଫ୍‌, ୧୨ଟି ଓଡ୍ରାଫ ଓ ୩୦୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଗଜପତିରେ ୧୩, ୧୪୮ ଲୋକଙ୍କୁ ରିଲିଫ୍‌ କେନ୍ଦ୍ରକୁ ସୁରକ୍ଷିତଭାବେ ନିଆଯାଇଛି । ସେପଟେ ୧୦ଟି ଅଗ୍ନିଶମ ଟିମ୍‌କୁ ଗଂଜାମ ପଠାଯାଇଛି । ସେହିପରି ରାୟଗଡ଼ାରେ ୧୬ଟି ସ୍ଥାନରେ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଏହା ସହିତ ୧୧୩୮ ଲୋକ ରିଲିଫ୍‌ ବାଣ୍ଟୁଛନ୍ତି । 

ଅନ୍ୟପକ୍ଷରେ ଆଜି ସକାଳ ସୁଦ୍ଧା ୭୮ଟି ବ୍ଲକ୍‌ରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି । ୧୬ଟି ବ୍ଲକ୍‌ରେ ୨୦୦ରୁ ୩୦୦ ମିମି ବର୍ଷା ହୋଇଛି । କନ୍ଧମାଳର ଜି.ଉଦୟଗିରି ଓ କଟକ କଣ୍ଟପଡ଼ାରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଜି.ଉଦୟଗିରି ୩୫୧ ମିମି ଓ କଣ୍ଟପଡ଼ାରେ ୩୧୯ ମିମି ବର୍ଷା ରେକର୍ଡ ହୋଇଥିବା ଏସ୍‌ଆର୍‌ସି ସୂଚନା ଦେଇଛନ୍ତି ।  

Subscribe

National International State Sports Entertainment