ଛିଡୁନି ସୁନ୍ଦରୀ ଅଡୁଆ, ନନ୍ଦନକାନନରେ ରଖାଯିବାକୁ ନେଇ ସେଂଟ୍ରାଲ ଜୁ ଅଥରିଟିର ପ୍ରଶ୍ନ
Khabar Odisha:tigress-sundari-and-tension
ଭୁବନେଶ୍ୱର, ନଭେମ୍ବର ୦୮(ଖବର ଓଡିଶା):

ଟ୍ରାଙ୍କୁଲାଇଜ ହେଲା ପରେ ମଧ୍ୟ ସୁନ୍ଦରୀକୁ ନେଇ ଅଡୁଆ କମିବାର ନା ନେଉନାହିଁ । ବାଘୁଣୀ ସୁନ୍ଦରୀକୁ କେଉଁଠି ରଖାଯିବ ସେହି ପ୍ରସଙ୍ଗକୁ ନେଇ ଉଠିଛି ଦ୍ୱନ୍ଦ । ଗୋଟିଏ ପଟେ ବନ ବିଭାଗ ଏହି ନରହନ୍ତା ବାଘୁଣୀକୁ ନନ୍ଦନକାନନରେ ରଖିବା ପାଇଁ ସ୍ଥିର କରି ସାରିଥିବା ବେଳେ ଏହାକୁ ନେଇ ପ୍ରଶ୍ନ କରିଛନ୍ତି ସେଂଟ୍ରାଲ ଜୁ ଅଥରିଟି  ।

ଏହା ସହ ସୁନ୍ଦରୀକୁ ନନ୍ଦନକାନନରେ ରଖାଯିବାକୁ ଅଥରିଟି ବାରଣ କରିଛନ୍ତି । ଅଥରିଟି କହିଛନ୍ତି ଯେ ଏହା ନ୍ୟାସନାଲ ଜୁ ଅଥରିଟିର ବିରୁଦ୍ଧାଚରଣ କରୁଛି । ଏନେଇ ପିସିସିଏଫଙ୍କ ମଧ୍ୟ ଚିଠି କରାଯାଇଛି । ଜଙ୍ଗଲରୁ ଧରାଯାଇଥିବା ପଶୁଙ୍କୁ ଚିଡିଆଖାନାରେ ରଖାଯାଇ ପାରିବ ନାହିଁ । କେବଳ ବଂଶବୃଦ୍ଧି ନେଇ ଚିଡିଆଖାନାରେ ରଖାଯିବାର ନିୟମ ରହିଛି ।  ଏହି ସମସ୍ତ ଘଟଣାକୁ ନଜରରେ ରଖି କିଛି ନିଷ୍ପତି ନେବା ପାଇଁ ବନ ବିଭାଗକୁ ପରାମର୍ଶ ଦେଇଛି ଅଥରିଟି । 

ବର୍ତମାନ ସୁନ୍ଦରୀକୁ ଏକ ସ୍ୱତନ୍ତ୍ର ଏନକ୍ଲୋଜରରେ ରଖାଯାଇଛି । ଯାହା ଏକ ଜଙ୍ଗଲ ପରି ରହିଛି । ସେଠାରେ ସୁନ୍ଦରୀ ସୁସ୍ଥ ରହିଥିବା ଜଣାପଡିଛି । କିନ୍ତୁ କେହି ବନକର୍ମଚାରୀ ଏହି ବାଘୁଣୀ ପାଖକୁ ଯାଉ ନାହାନ୍ତି । 

ଗତ ୬ ତାରିଖରେ କୁମ୍‌କୀ ହାତୀ ଯଶୋଦା ଦ୍ୱାରା ସୁନ୍ଦରୀଙ୍କୁ କାବୁ କରାଯାଇଥିଲା । ସାତକୋଶିଆବାସୀ ଓ ବନ ବିଭାଗର ନିଦ ହଜାଇ ଦେଇଥିବା ବାଘୁଣୀକୁ ଟ୍ରାଙ୍କୁଲାଇଜ୍‌ କରାଯାଇଥିବା ନେଇ ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଥିଲେ । ଗତ ୨୩ ତାରିଖରୁ ଆରମ୍ଭ ହୋଇଥିବା ବାଘୁଣୀ ସୁନ୍ଦରୀ ଅପରେସନ୍‌ରେ ସଫଳତା ମିଳିଥିଲା । ପ୍ରାୟ ଏକ ମାସର ଲୁଚକାଳି ପରେ ଆଜି ବନ ବିଭାଗ ସୁନ୍ଦରୀଙ୍କୁ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଥିଲା । କୁମ୍‌କୀ ହାତୀ ଯଶୋଦା ସାହାଯ୍ୟରେ ମଧ୍ୟ ପ୍ରଦେଶ ବାନ୍ଧବଗଡ଼ରୁ ଆସିଥିବା ସ୍ୱତନ୍ତ୍ର ଟିମ୍‌ ବାଘୁଣୀକୁ ଧରିଥିଲା । ପରେ ତାକୁ ରାଇଗଡ଼ ଏନ୍‌କ୍ଲୋଜର୍‌କୁ ନିଆଯାଇଥିବା ନେଇ ସୂଚନା ମିଳିଥିଲା । 

ପ୍ରଥମେ ବଳଦ ଓ ପରେ ସେପ୍ଟେମ୍ବର ୧୩ ତାରିଖରେ ସାତକୋଶିଆ ହାତୀବରି ଗାଁରେ ଜଣେ ମହିଳାଙ୍କୁ ସୁନ୍ଦରୀ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଏହାକୁ ନେଇ ଲଙ୍କାକାଣ୍ଡ ମଧ୍ୟ ହୋଇଥିଲା । ପୁଣି ଥରେ ଟାଇଁଶି ଗାଁରେ ଜଣେ ପୁରୁଷ ସୁନ୍ଦରୀ ଆକ୍ରମଣରେ ପ୍ରାଣ ହରାଇଥିବା ନେଇ ମଧ୍ୟ ଅଭିଯୋଗ ଆସିଥିଲା । ସୁନ୍ଦରୀକୁ ସାତକୋଶିଆରୁ ନେଇଯିବାକୁ ଦାବି ଜୋର ଧରିଥିଲା । ସୁନ୍ଦରୀଙ୍କୁ ସେଠାରୁ ନେଇ ଯିବାକୁ ବନ ବିଭାଗ ନିଷ୍ପତ୍ତି ନେଇଥିଲା । ଗତ ୨୩ ତାରିଖରୁ ଟ୍ରାଙ୍କୁଲାଇଜ୍‌ ଅପରେସନ୍‌ ଆରମ୍ଭ ହୋଇଥିଲା । 

  • Tags:

Subscribe

National International State Sports Entertainment