କୁଲଦୀପଙ୍କ ଫିରକିରେ ଫସିଲା ଇଂଲଣ୍ଡ, ଭାରତକୁ ମିଳିଲା ୨୬୯ ରନର ବିଜୟ ଲକ୍ଷ୍ୟ
Khabar Odisha:india-vs-england-1st-one-day-international-trent-bridge-nottingham
ଟ୍ରେଣ୍ଟବିଜ୍,ଜୁଲାଇ୧୨(ଖବର ଓଡ଼ିଶା):

 କୁଲଦୀପ ଯାଦବଙ୍କ ଯାଦୁକରୀ ବୋଲିଂ ଆଗରେ ପୁଣି ଥରେ ହାର ମାନିଛନ୍ତି ଇଂରେଜ ଖେଳାଳି। ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ପରି ପ୍ରଥମ ଦିନିକିଆରେ ମଧ୍ୟ ଇଂଲଣ୍ଡ ବ୍ୟାଟସମ୍ୟାନଙ୍କ ଉପରେ ଏକାକୀ ଭାରି ପଡ଼ିଛନ୍ତି କୁଲଦୀପ ଯାଦବ। କୁଲଦୀପଙ୍କ ୬ ଓ୍ଵିକେଟ୍ ସଫଳତା ବଳରେ ଭାରତ ଟ୍ରେଣ୍ଟବିଜରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୪୯.୫ ଓଭରରେ ୨୬୮ ରନରେ ସୀମିତ ରଖିଛି। ଦଳକୁ ପ୍ରଥମ ଦିନିକିଆ ଜିତିବା ପାଇଁ ଦରକାର ୨୬୯  ରନ। ଇଂଲଣ୍ଡ ପକ୍ଷରୁ ଜୋସ୍ ବଟଲର ସର୍ବାଧିକ ୫୩ ରନର ପାଳି ଖେଳିଥିବା ବେଳେ ବେନ ଷ୍ଟୋକ୍ସ ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳିଛି। କୁଲଦୀପ ଜୀବନର ସର୍ବଶ୍ରେଷ୍ଠ ବୋଲିଂ କରି ୧୦ ଓଭରରେ ୨୫ ରନ ଦେଇ ୬ ଓ୍ଵିକେଟ୍ ଦଖଲ କରିଛନ୍ତି। ଏହା ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। 

ଟସ୍ ହାରି ବ୍ୟାଟିଂ କରିବାକୁ ପ୍ରଥମେ ଓହ୍ଲାଇଥିବା ଇଂଲଣ୍ଡର ଓପନର ଜାସନ ରୟ ଓ ଜୋନି ବେୟରଷ୍ଟୋ ଦଳକୁ ଭଲ ଆରମ୍ଭ ଦେଇଥିଲେ। ଉଭୟ ପ୍ରଥମ ଓ୍ଵିକେଟରେ ୧୦.୨ ଓଭରରେ ୭୨ ରନ ଯୋଡିଥିଲେ। ଭାରତୀୟ ପାଇଁ ଚିନ୍ତାର  ବିଷୟ ପାଲଟିଥିବା ଏହି ଯୋଡିକୁ ଭାଙ୍ଗିଥିଲେ କୁଲଦୀପ ଯାଦବ।  ଯାଦବ ରୟଙ୍କୁ ଆଉଟ୍ କରି ଦଳକୁ ପ୍ରଥମ ସଫଳତା ଦେଇଥିଲେ। ରୟ ୩୮ ରନର ଦ୍ରୁତ ପାଳି ଖେଳି ପାଭିଲିୟନ ଫେରିଥିଲେ। ୮୧ ରନ ସ୍କୋରରେ ୧୩ ଓଭରରେ କୁଲଦୀପ ରୁଟ(୩)ଙ୍କୁ ଏଲବିଡବ୍ଲ୍ୟୁ କରି ଦଳକୁ ଦ୍ଵିତୀୟ ସଫଳତା ଦେଇଥିଲେ। ସେହି ଓଭରରେ ବେୟାରଷ୍ଟୋ(୩୫)ଙ୍କୁ ଆଉଟ୍ କରି ଭାରତକୁ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରାଇଥିଲେ। 

 ୧୦୫ ସ୍କୋରରେ ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ସେ ୨୦ ରନ କରି ଚହଲଙ୍କ ପ୍ରଥମ ଶିକାର  ହୋଇଥିଲେ। ୧୦୫ ରନର ୪ ଓ୍ଵିକେଟ୍ ହରାଇ ଅଡୁଆରେ ପଡିଥିବା ଇଂଲଣ୍ଡର ପାଳିକୁ ସମ୍ଭାଳିଥିଲେ ବେନ ଷ୍ଟୋକ ଓ ଜୋସ୍ ବଟଲର। ଉଭୟ ପଞ୍ଚମ ଓ୍ଵିକେଟରେ ୯୩ ରନ ଯୋଡି ଦଳକୁ ସମ୍ମାନଜନକ ସ୍କୋର ଛିଡା କରାଇବାରେ ଉଲ୍ଲେଖନୀୟ ପାଳି ଖେଳିଥିଲେ। ଏହି ଯୋଡିକୁ ମଧ୍ୟ କୁଲଦୀପ ଭାଙ୍ଗିଥିଲେ। କୁଲଦୀପଙ୍କ ଚତୁର୍ଥ ଶିକାର ହୋଇଥିଲେ   ଜୋସ ବଟଲର।  ସେ ୫୩ ରନ କରି ପାଭିଲିୟନ ଫେରିଥିଲେ। ବଟଲରଙ୍କୁ ଆଉଟ୍ କରି କୁଲଦୀପ ଭାରତକୁ ବହୁତ ବଡ଼ ସଫଳତା ଦେଇଥିଲେ। 

ଏହି କ୍ରମରେ ୨୧୪ ସ୍କୋରରେ କୁଲଦୀପ ବେନ ଷ୍ଟୋକ୍ସକୁ ଆଉଟ୍ କରି ଦିନିକିଆରେ ନିଜର ପ୍ରଥମ ପଞ୍ଚମ ଓ୍ଵିକେଟ୍ ପୂରଣ କରିଥିଲେ। ଷ୍ଟୋକ୍ସ ୫୦ ରନର ମହତ୍ଵପୂର୍ଣ୍ଣ ପାଳି ଖେଳି ପାଭିଲିୟନ ଫେରିଥିଲେ। ୨୧୬ ସ୍କୋରରେ କୁଲଦୀପଙ୍କ ଷଷ୍ଠ ଶିକାର ହୋଇଥିଲେ  ଡେଭିଡ ଓ୍ଵିଲି। ଶେଷ ଆଡକୁ ଆଦିଲ ରସିଦ ୨୨ ଓ ମୋଇନ ଅଲି ୨୪ ରନର ପାଳି ଖେଳିଥିଲେ। ଶେଷରେ ଇଂଲଣ୍ଡ   ୪୯.୫ ଓଭରରେ ୨୬୮ ରନରେ ଅଲଆଉଟ୍ ହୋଇଛି। 

ଭାରତୀୟ ପକ୍ଷରୁ ସଫଳତମ ବୋଲର ଭାବେ କୁଲଦୀପ ଯାଦବ ନିଜର ଦିନିକିଆ କ୍ରିକେଟରେ ସର୍ବଶ୍ରେଷ୍ଠ ବୋଲିଂ କରି ୨୫ ରନ ବିନିମୟରେ ୬ଟି ସଫଳତା ପାଇଛନ୍ତି। ଉମେଶ ୨ ଓ ଚହଲଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଛି। 

  • Tags:

Subscribe

National International State Sports Entertainment