କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ । ଏହି କଥା ପ୍ରମାଣିତ ହୋଇଛି କାରଣ ଏତେ ବଡ଼ ଦୁର୍ଘଟଣା ସତ୍ୱେ ଦୀର୍ଘ ୪୮ ଘଣ୍ଟା ପରେ ଜୀବିତ ଅବସ୍ଥାରେ ଯୁବକ ଉଦ୍ଧାର । ଦୁର୍ଘଟଣାସ୍ଥଳଠାରୁ କିଛି ବାଟ ଦୂରରୁ ତାଙ୍କୁ ଉଦ୍ଧାର କରାଯାଇଛି । ଦୁର୍ଘଟଣା ପରେ ଦୂରକୁ ଛିଟିକି ପଡ଼ିଥିଲା ବଗି ଆଉ ସେହି ବଗି ତଳେ ହିଁ ସେ ଫସିରହିଥିଲେ । ଗତକାଲି ଅପରାହ୍ଣରେ ହଠାତ୍ ରେଳ ସୁରକ୍ଷା ବାହିନୀ ରେଳ ଲାଇନ କଡ଼ରେ ପଡ଼ିଥିବା ଯୁବକଙ୍କୁ ଦେଖିବା ପରେ ଯୁବକ ଜଣକୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରାଯାଇଛି।
ସୂଚନା ମୁତାବକ ଆହତ ଯୁବକ ଜଣକ ଆସାମର ହାଉରାଘାଟ ଥାନା ଉତ୍ତର ବରବିଲ ଅଞ୍ଚଳର ଧୋଲାଲ ବୋଲି ଜଣାପଡ଼ିଛି। ସେ ଜଣେ ନିର୍ମାଣ ଠିକାଦାରଙ୍କ ପାଖରେ କାମ କରିବାକୁ ୬/୭ ଜଣ ଯୁବକ ସହିତ ଯାଉଥିଲେ। ସେମାନେ ହାୱଡ଼ାରୁ କରମଣ୍ଡଳ ଏକ୍ସପ୍ରେସ୍ରେ ଆସୁଥିଲେ। କିନ୍ତୁ ବାହାନଗା ନିକଟରେ ଟ୍ରେନ ଦୁର୍ଘଟଣା ପରେ ସେମାନେ ଅଲଗା ହୋଇଯାଇଥିଲେ। ଅନ୍ୟ ସାଥୀମାନେ କୁଆଡ଼େ ଗଲେ ସେନେଇ ତାଙ୍କ ପାଖରେ କିଛି ସୂଚନା ମଧ୍ୟ ନାହିଁ। ତେବେ ଯୁବକ ଜଣକ ଦୁର୍ଘଟଣା ପରେ ଭୟଭୀତ ହୋଇଯାଇଥିବାରୁ ସହାୟତା ପାଇଁ କାହାକୁ ଡାକି ପାରି ନ ଥିଲେ । ଦୀର୍ଘ ୪୮ ଘଣ୍ଟା କାଳ ଯୁବକ ଜଣକ ନଖାଇ ନପିଇ ଜୀବନ ମରଣ ସହ ସଂଗ୍ରାମ କରୁଥିଲେ। ତେବେ ସୌଭାଗ୍ୟବଶତଃ ରେଳକର୍ମଚାରୀଙ୍କ ନଜରରେ ଆସିଥିଲେ ଏହାପରେ ତାଙ୍କୁ ସୋର ଡାକ୍ତରଖାନାରୁ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବର୍ତମାନ ସେ ସୁସ୍ଥଥିବା ଜଣାପଡିଛନ୍ତି ।