ଗଂଜାମ ; ଗଂଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ କରାପାଲ୍ଲୀ ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି । ଏକତରଫା ପ୍ରେମରୁ ଯୁବତୀଙ୍କୁ ଯୁବକ ଜଣଙ୍କ ବିଭତ୍ସ ହତ୍ୟା କରିଥିବା ଜଣାପଡିଛି ।
ସୂଚନା ଅନୁସାରେ, ନାବାଳିକା ଜଣକ ଅଭିଯୁକ୍ତର ଭଉଣୀ ସହ ବ୍ରହ୍ମପୁର ଆଇଟିଆଇରେ ପଢୁଥିଲେ। ହତ୍ୟାର ଶିକାର ନାବାଳିକା ଜଣକ ହେଉଛନ୍ତି ଅଭିଯୁକ୍ତ ଯୁବକଙ୍କ ଭଉଣୀଙ୍କ ସହପାଠୀ । ଯୁବକ ଜଣକ ନିଜ ଭଉଣୀଙ୍କ ସହପାଠୀକୁ ଏକତରଫା ପ୍ରେମ କରୁଥିଲେ। କିନ୍ତୁ ନାବାଳିକା ଜଣକ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହା ପରେ ଯୁବକ ଜଣକ ତାଙ୍କୁ ବିଭିନ୍ନ ସମୟରେ ପିଛା କରିବା ସହିତ ହଇରାଣ କରୁଥିଲେ । ଯାହାକୁ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା ।
ତେବେ ଏଥିରେ ପ୍ରତିଶୋଧ ପରାୟଣ ହୋଇ ଘରେ କେହି ନଥିବା ବେଳେ ଯୁବକ ଜଣଙ୍କ ନାବାଳିକାଙ୍କ ଘରେ ପଶି ଯୁବତୀଙ୍କ ହାତ ସହିତ ଶରୀରର ବିଭିନ୍ନ ସ୍ଥାନକୁ ଧାରୁଆ ଆସ୍ତ୍ରରେ କାଟିଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ହିଁ ରକ୍ତାକ୍ତ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା ।
ଏନେଇ ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ନାବାଳିକାଙ୍କ ମୃତଦେହ ଜବତ କରି ବ୍ରହ୍ମପୁର ବଡ଼ ମେଡିକାଲକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ବେଳେ ଘଟଣାସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛି । ତେବେ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ନାବାଳିକାଙ୍କ ପରିବାର ପକ୍ଷରୁ କୁହାଯାଇଥିବା ବେଳେ ରିପୋର୍ଟ ଆସିଲେ ଏହାର ସମ୍ପୂର୍ଣ୍ଣ ତଥ୍ୟ ଜଣାପଡିବ ବୋଲି ସୂଚନା ରହିଛି ।