ଭୁବନେଶ୍ୱର: ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏହି ମାମଲାରେ ଏବେ ହସ୍ତକ୍ଷେପ କରିଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଯିଏ ଭୁଲ କରିଥିବେ ସିଏ ନିଶ୍ଚିତ ଦଣ୍ଡିତ ହେବେ ବୋଲି ଚେତାବନୀ ଦେଇଛନ୍ତି ମନ୍ତ୍ରୀ ।
ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ହରିଚନ୍ଦନ ଏ ନେଇ ଲୋକସେବା ଭବନରେ ଏକ ବୈଠକ କରିଛନ୍ତି । ଦୀଘା ଜଗନ୍ନାଥ ମନ୍ଦିରରେ ନବେକଳବର ଦାରୁ ସ୍ଥାପନା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଆଇନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି । ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି । ଯିଏ ଦୋଷ କରିଥିବେ ଦଣ୍ଡିତ ହେବେ ବୋଲି ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି ।
ଅନ୍ୟପକ୍ଷରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏ ବାବଦରେ ଅବଗତ ଅଛନ୍ତି । ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଦେଶରେ ୪ଟି ଧାମ ଅଛି । ଏଥିରେ ଜଣେ ଲେଖାଏଁ ଶଙ୍କରାଚାର୍ଯ୍ୟ ରହିଛନ୍ତି । ଏହା ବାଦ୍ ଆଉ ଧାମ କରିବା ଠିକ୍ ନୁହେଁ । ଜଗନ୍ନାଥ ଧାମ କେବଳ ପୁରୀରେ ଏବଂ ଆଉ କେଉଁଠି ହୋଇପାରିବନି । ତେବେ କେମିତି ପଶ୍ଚିମବଙ୍ଗ ସରକାର ଏ ଜଗନ୍ନାଥ କହିଲେ ସିଏ ହିଁ ଜାଣିଥିବେ । ତେବେ ସେବାୟତଙ୍କ ଉପରେ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଦୀଘାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର । ସେଠାରେ ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଥିଲେ ଯେ ନବକଳେବର ବେଳେ ଯେଉଁ ଦାରୁ ବ୍ରହ୍ମ ପ୍ରତିଷ୍ଠା ହୋଇଥାଏ ସେହି ଦାରୁକୁ ନେଇକି ସେ ଯାଇଥିଲେ ଏବଂ ସେଠାରେ ପ୍ରତିଷ୍ଠା କରିଛନ୍ତି ବୋଲି ସେ କହିଥିଲେ । ଯାହାକୁ ନେଇ କୋଟି କୋଟି ଓଡ଼ିଆ ଜଗନ୍ନାଥ ଭକ୍ତ ମନରେ ଗଭୀର ଉଦବେଗ ପ୍ରକାଶ ପାଇଥିଲା । ଏହା ପୂର୍ବରୁ ସେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଥିଲା ଯେ କୌଣସି ପୁଷ୍ପାଳକ ଓ ରୋଷ ସେବକ ସେଠାକୁ ଯାଇ ପାରିବେ ନାହିଁ । ଯଦି କାର୍ଯ୍ୟରେ ଯୋଗ ଦିଅନ୍ତି ତେବେ ସେମାନଙ୍କୁ ଆଉ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ମିଳିବ ନାହିଁ । ତେବେ ରାମକୃଷ୍ଣ ଦାସ ମହାପାତ୍ର ଏହି ପ୍ରସଙ୍ଗକୁ ଖଣ୍ଡନ କରିଛନ୍ତି । ସେ ଗଣମାଧ୍ୟମରେ ଏଭଳି ପ୍ରତିକ୍ରିୟା ଦେଇ ନାହାଁନ୍ତି ବୋଲି ସେ କହିଛନ୍ତି ।