ବରଗଡ଼ : ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା ଅଭିଯୋଗ । ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଜଗଦଲପୁର ଥାନା ଲହଙ୍ଗିର ଗ୍ରାମରେ ନବବଧୂଙ୍କୁ ଯୌତୁକ ପାଇଁ ନିର୍ଯ୍ୟାତନା ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ସୂଚନା ମୁତାବିକ, ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଜାମପାଲି ଗ୍ରାମର ମମତା ବରିହା ମାର୍ଚ ୨୬ ତାରିଖରେ ଜଗଦଲପୁର ଥାନା ଲହଙ୍ଗେର ଗ୍ରାମର ଧୃବ ବେଣ୍ଟକାରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ମମତାଙ୍କୁ ଶାଶୁ ଘର ଲୋକମାନେ ଯୌତୁକ ପାଇଁ ଅନେକ ସମୟରେ ନିର୍ଯ୍ୟାତନା ଦେଉଥିବା ମମତା ଫୋନରେ ତାଙ୍କ ପରିବାର ଲୋକଙ୍କଙ୍କୁ ଅଭିଯୋଗ କରିଆସୁଥିଲେ। ମାତ୍ର ବୁଧବାର ଅପରାହ୍ନରେ ତମ ଭଉଣୀ ଅସୁସ୍ଥ ଅଛି ପଦ୍ମପୁର ଡାକ୍ତରଖାନାକୁ ଆସ ବୋଲି ମୃତ ମମତାଙ୍କ ଭାଇଙ୍କୁ ଫୋନ କରିଥିଲେ ଶାଶୁ ଘର ଲୋକେ। ପରେ ପରିବାର ଲୋକେ ପଦ୍ମପୁର ଡାକ୍ତରଖାନାରେ ପହଞ୍ଚି ଜାଣିଲେ ଯେ, ମମତାଙ୍କ ମୃତ୍ୟୁ ଘଟିସାରିଛି । ଏ ନେଇ ବୁଧବାର ସନ୍ଧ୍ୟାରେ ମମତାଙ୍କ ଭାଇ ଜଗଦଲପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେପଟେ ଅଭିଯୋଗ ପାଇବା ପରେ ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମୃତ ମମତାଙ୍କ ସ୍ୱାମୀ ଧୃବ ବେଣ୍ଟକାରକୁ ଅଟକ ରଖି ପଚରାଉଚରା କରିଛି।