ଉଦଳା : ମୟୂରଭଂଜ ଜିଲ୍ଲା ଶରତ ଥାନା ରୁଗୁଡି ଛକ ନିକଟରେ ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି । ହଷ୍ଟେଲରୁ ଝିଅକୁ ନେଇ ଫେରୁଥିବା ସମୟରେ ବାଟରେ ଜଗିଥିଲା ଯମ । ଗଛରେ ବାଇକ୍ ପିଟି ହୋଇ ଘଟଣାସ୍ଥଳରେ ଚାଲିଗଲା ବାପା ଏବଂ ଝିଅର ଜୀବନ । ମୃତ ବାପା କୁମାର ମାରାଣ୍ଡି ଏବଂ ଝିଅ ସାଲଗେ ମାରାଣ୍ଡି ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ସାଲଗେ ମୟୁରଭଞ୍ଜ ଜିଲ୍ଲା ରୁଗୁଡ଼ି ଗ୍ରାମର କୁମାର ମାରାଣ୍ଡି କପ୍ତିପଦା ଥାନା ଜାମୁପଦା ଆଶ୍ରମ ବିଦ୍ୟାଳୟରେ ରହି ପାଠ ପଢୁଥିଲେ । ଆଜି ଝିଅକୁ ଘରକୁ ନେବା ପାଇଁ ବାପାଙ୍କ ସହ ଭାଇ ମଧ୍ୟ ଆସିଥିଲା । ତିନି ଜଣ ହସ ଖୁସିରେ ଘରକୁ ଫେରୁଥିଲେ । ଏହି ସମୟରେ ଘରଠାରୁ ମାତ୍ର କେଇ ମିଟର ଦୂରରେ ଭାରସାମ୍ୟ ହରାଇ ଏକ ମହୁଲ ଗଛରେ ବାଡେଇ ହୋଇଥିଲା ବାଇକ । ଫଳରେ ଗାଡ଼ିରେ ଥିବା ବାପା, ପୁଅ ଏବଂ ଝିଅ ସମସ୍ତେ ଛିଟିକି ପଡ଼ିଥିଲେ । ଘଟଣାସ୍ଥଳରେ ବାପା କୁମାର ମାରାଣ୍ଡି ଏବଂ ଝିଅ ସାଲଗେ ମାରାଣ୍ଡିଙ୍କର ମୃତ୍ୟୁ ହୋଇଥିଲା । ପୁଅ ରୁଇଦାସ ମାରାଣ୍ଡି ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି । ତେବେ ଏନେଇ ଖବର ପାଇ ଶରତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।