ଭୁବନେଶ୍ୱର : ରାଜଧାନୀ ୟୁନିଟ୍ ୩ ପ୍ରଦର୍ଶନୀ ପଡ଼ିଆରେ Indian Chamber of Commerce National Women Entrepreneurship Council ଦ୍ୱାରା ଆୟୋଜିତ National Women’s Business Mela 2.0 ର ଦ୍ୱିତୀୟ ଦିନରେ ଯୋଗ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମହିଳାଙ୍କୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶାରେ ଏକ ନୂତନ ରୂପରେଖ ପ୍ରସ୍ତୁତ କରିବାର ଲକ୍ଷ୍ୟ ନେଇ ଏହା ଆୟୋଜିତ କରାଯାଇଥିବା ଉପମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି । ଅନୁଷ୍ଠିତ ଏହି ବ୍ୟବସାୟ ମେଳାର ଦ୍ବିତୀୟ ଦିନରେ ଚର୍ଚ୍ଚା ଓ ପ୍ରେରଣାଦାୟୀ ଆଲୋଚନା ହୋଇଛି । ଉଦ୍ୟୋଗୀଙ୍କୁ ବ୍ୟାପକ ନେଟୱାର୍କିଂ ସୁଯୋଗ ମିଳିପାରିଛି। ଆରମ୍ଭ ହୋଇଥିବା ଏହି ପାଞ୍ଚ ଦିନିଆ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନଟି ଉତ୍ସାହ ଓ ଉଦ୍ଦୀପନାର ସହ ସମାପିତ ହୋଇଛି । ଦ୍ବିତୀୟ ଦିନର କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିଥିଲେ । ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଭିଭାଷଣରେ ସେ ଗୁରୁତ୍ୱାରୋପ କରିଥିଲେ ଯେ, ସମାନତାରୁ ହିଁ ମହିଳା ସଶକ୍ତୀକରଣ ବିକଶିତ ହୋଇଛି । ଏହା ସାମାଜିକ ଉନ୍ନତି ଏବଂ ଆର୍ଥିକ ଅଭିବୃଦ୍ଧିର ମୂଳଦୁଆ। ଉପମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ଉପସ୍ଥିତ ଲୋକଙ୍କୁ ଗଭୀର ଭାବରେ ପ୍ରଭାବିତ କରିବା ସହିତ ସମାବେଶୀକରଣ ଓ ସଶକ୍ତୀକରଣର ସମନ୍ବିତ ଦୃଷ୍ଟିକୋଣକୁ ଉତ୍ସାହିତ କରିବାକୁ ସକ୍ଷମ ହୋଇଛି । ଏହି ମେଳାର ପରିଚାଳନା କେବଳ ମହିଳାମାନଙ୍କ ନେତୃତ୍ଵରେ ହେବା ଏବଂ ମହିଳାଙ୍କ ଦ୍ଵାରା ପ୍ରତିଷ୍ଠିତ ବ୍ରାଣ୍ଡ, ଷ୍ଟାର୍ଟ ଅପ, MSME, ଆଦିବାସୀ ଉଦ୍ୟୋଗ ଏବଂ ଶିଶୁ କିଶୋରୀ ଉଦ୍ୟୋଗ ସମେତ ଓଡ଼ିଶାର ପ୍ରମୁଖ 200 ଉଦ୍ୟୋଗୀ ଏହି ମେଳାରେ ଭାଗନେବା ଅତ୍ୟନ୍ତ ଖୁସିର ବିଷୟ ବୋଲି ଶ୍ରୀମତୀ ପରିଡା କହିଛନ୍ତି ।
ସେହିପରି ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଯୁବ ପ୍ରତିଭାଙ୍କ ଉପରେ ଗୁରୁତ୍ବାରୋପ କରିବା ସହିତ ସହରରେ ମହିଳା ଉଦ୍ୟୋଗୀଙ୍କ ଆଶା ଆକାଂକ୍ଷାକୁ ସାକାର କରିବାକୁ ସକ୍ଷମ ହେଉଥିବା ଏକ ଇକୋସିଷ୍ଟମ୍ ଗଠନ କରିବାର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ।