ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ କିଟ୍ କ୍ୟାମ୍ପସ । ଗତ ଗୁରୁବାର ସଂନ୍ଧ୍ୟା ସାତଟା ସମୟରେ କୀଟ କ୍ୟାମ୍ପସ ପରିସର ସ୍ଥିତ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତା ଯୁବତୀ ଜଣକ ପ୍ରିଶା ଶାହା ହୋଇଥିବା ବେଳେ ସେ ନେପାଳର ବୀରଗଞ୍ଜ ଅଞ୍ଚଳର ଅଟନ୍ତି ବୋଲି ସୂଚନା ମିଳିଛି । ତେବେ ଏହି ଘଟଣାକୁ ନେଇ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ଓ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିଜର ମନ୍ତବ୍ୟ ପ୍ରକାଶ କରିଛନ୍ତି ।
କିଟ୍ ଛାତ୍ରୀଙ୍କ ମୃତ୍ୟୁ ଏକ ଅଭାବନୀୟ ଘଟଣା କହିଥିଲେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ । ଆଜିକାଲିର ଯୁବପିଢ଼ି ସାମାନ୍ୟ କିଛି ଘଟଣା ଯୋଗୁଁ ଆତ୍ମହତ୍ୟା ପନ୍ଥାକୁ ବାଛି ନେଉଛନ୍ତି, ଯାହା ଏକ ଚିନ୍ତାର ବିଷୟ ଅଟେ । ରାଜ୍ୟସରକାର ଏହି ଘଟଣାକୁ ଗମ୍ଭୀର ଭାବେ ନେଇ ତଦନ୍ତ ଜାରିରଖିଛନ୍ତି ବୋଲି କହିଥିଲେ ରାଜସ୍ବମନ୍ତ୍ରୀ ।
ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିଜର ମନ୍ତବ୍ୟରେ କହିଥିଲେ,' ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଛି । ପୋଲିସ ନିଜ କାର୍ଯ୍ୟ ସଠିକ ଭାବେ କରୁଛି । ବିଭାଗ ତଦନ୍ତ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛି । ପ୍ରାଥମିକ ତଦନ୍ତ ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।'
କିଟ୍ ବିଶ୍ବବିଦ୍ୟାଳୟରେ ଗତ ଫେବୃଆରୀ ମାସରେ ବିଟେକ ପାଠ୍ୟକ୍ରମର ତୃତୀୟ ବର୍ଷର ଛାତ୍ରୀ ଆତ୍ମହତ୍ୟା ଘଟଣା ପାଇଁ କିଟ୍ କର୍ତ୍ତୃପକ୍ଷ ବିବାଦ ଘେରରେ ଫସିବା ସହିତ ଦେଶବ୍ୟାପୀ ଏହି ଘଟଣା ଚର୍ଚ୍ଚା ଧରିଥିଲା । ସେ ମାମଲାର ଶୁଣାଣି ପୂରଣ ନ ହେଉଣୁ ଗୁରୁବାର ଆଉ ଜଣେ ଛାତ୍ରୀ ନିଜର ଜୀବନ ହରାଇଛନ୍ତି ।