କଥାରେ ଅଛି ରଖେ ହରି ତ ମାରେ କିଏ । ଗୁରୁବାର ସକାଳୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ମହାନଦୀରେ ଛତିଶଗଡରୁ ଓଡିଶାକୁ ଜଣେ ମହିଳା ଭାସିଆସିଛନ୍ତି । ଆଉ ଅକାତ କାତ ଜଳରେ ମହିଳା ଜଣଙ୍କ ସମ୍ପୂର୍ଣ୍ଣ ସୁସ୍ଥ ମଧ୍ୟ ଅଛନ୍ତି । ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ମହିଳାଙ୍କ ଗୋଡରେ ଲୁହା ଶିକୁଳି ଲାଗିଥିବା ଦେଖିବାକୁ ମିଳିଛି । ତେବେ ମହିଳା ଜଣଙ୍କ ଛତିଶଗଡ ସାରଙ୍ଗଡ ଜିଲ୍ଲା ପୁସୋର ଥାନା ଅଧିନ ପୁରଥ ଗ୍ରାମର ବୋଲି ଜଣାପଡିଛି । ଏବଂ ମହିଳା ଜଣଙ୍କ ମହାନଦୀର ପାଣିରେ ପ୍ରାୟ ୧୫ କିଲୋମିଟର ଭାସି ଆସିଥିବା ବେଳେ ଆଜି ସୁରକ୍ଷିତ ଅବସ୍ଥାରେ ଝାରସୁଗୁଡା ପଲସଦାରୁ ମତ୍ସ୍ୟଜୀବି ମାନଙ୍କ ଦ୍ୱାରା ମହିଳା ଜଣଙ୍କୁ ଉଦ୍ଧାର କରାଯାଇଛି ।
ତେବେ ମହିଳାଜଣକ କିଏ ଓ ସେ କିପରି ଏତେ ବାଟ ଭାସି ଆସିଲେ ତାହାକୁ ନେଇ ସସପେନ୍ସ ସୃଷ୍ଟି ହୋଇଛି। ଏହାସହ ମହିଳା ଜଣଙ୍କ ଶିକୁଳି ପଡିଥିବାରୁ ସେ ମାନସିକ ରୋଗୀ ବୋଲି ସନ୍ଦେହ କରାଯାଉଛି । ବର୍ତ୍ତମାନ ସେ ଉଦ୍ଧାର ହେବା ପରେ ତାଙ୍କ ଚିକିତ୍ସା କରାଯିବା ସହ ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।